ପୁରା ଖବର ବିଷୟରେ



ରାୟଗଡ଼ ଜିଲ୍ଲାପାଳ ସମନ୍ଵିତ ଶିଶୁ ବିକାଶ ଯୋଜନାର ସମୀକ୍ଷା କଲେ

Aug 21 2021 6:12PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ : ଆଜି ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପୌରହିତ୍ୟ ରେ ସମନ୍ଵିତ ଶିଶୁ ବିକାଶ ଯୋଜନା ର ସମୀକ୍ଷା କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ସମସ୍ତଙ୍କୁ ସ୍ଵାଗତ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ବିଷୟରେ ଜିଲ୍ଲାପାଳଙ୍କ ସମ୍ମୁଖରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମମତା, ପରିପୂରକ ପୁଷ୍ଟି ସାଧନ ଖାଦ୍ୟ ( ଛତୁଆ ଓ ଅଣ୍ଡା ବଣ୍ଟନ), ବାଲ୍ୟବିବାହ ନିଷେଧ, ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁ, ଅପପୁଷ୍ଟି ନିରାକରଣ ସହିତ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପରିବେଶ ଓ ନିରାପତ୍ତା ବିଷୟରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ମାନଙ୍କୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ ଓ ଗୃହ ପରିଦର୍ଶନ ଦ୍ଵାରା ସରକାରଙ୍କ ତରଫରୁ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ଗୁଡିକ ସଠିକ ପରିମାଣର ଓ ଉତ୍ତମ ମାନର ଦିଆଯାଉଛି କି ନାହିଁ ତଦାରଖ କରିବା ସହିତ ନିଜ ସେକ୍ଟର କ୍ଷେତ୍ର ମୁଖ୍ୟାଳୟରେ ଉପସ୍ଥିତ ରହିବା ନିମନ୍ତେ ତାଗିଦ କରିଥିଲେ । ଆଶୀର୍ବାଦ ଯୋଜନା ପାଇଁ ପିଲାମାନେ ନିଜର ବୟସ ପ୍ରମାଣ ପତ୍ର ଭାବେ ଜନ୍ମ ସାର୍ଟିଫିକେଟ କିମ୍ବା ବିଦ୍ୟାଳୟରେ ପଢୁଥିବା କିମ୍ବା ପଢି ଥିବା ସାର୍ଟିଫିକେଟ ଓ ବାପା ମା ଙ୍କର ମଧ୍ୟରୁ ଯାହାର ମୃତ୍ୟୁ ହୋଇଛି ସେହି ସାର୍ଟିଫିକେଟ ଆଣି ଦରଖାସ୍ତ ସହିତ ଆବେଦନ କରିବା ପାଇଁ କୁହାଯାଇଥିଲା ତେଣୁ ଯେପରି ଯୋଗ୍ୟ ହିତାଧିକାରୀ ଏହି ସୁବିଧା ପାଇ ପାରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ପିଲାଙ୍କ ସୁରକ୍ଷା ଓ ଶିଶୁ ଓ ମାତୃ ମୃତ୍ୟୁ ହାରକୁ ଶୂନ ସ୍ତରକୁ ଆଣିବା, ଅପହଞ୍ଚ ଇଲାକାରେ ଅପପୁଷ୍ଟିକୁ ଲୋପ କରିବା ପାଇଁ ସମସ୍ତଙ୍କ ଦାୟିତ୍ଵ ରହିଛି ତେଣୁ ଗର୍ଭବତୀ ସମୟରେ ଜଣେ ମହିଳା ଉପଯୁକ୍ତ ପରିମାଣର ଖାଦ୍ୟ ଖାଇବା ଆବଶ୍ୟକ, ପ୍ରସବ ପାଇଁ ଡାକ୍ତରଖାନାରେ ପ୍ରସବ କରାଇବା, ଜୀବିତ ଜାତ ଶିଶୁ କୁ ସମସ୍ତ ଟୀକାକରଣ କରାଇବା, ଶିଶୁକୁ ୬ ମାସ ହେବା ପର୍ଯ୍ୟନ୍ତ କେବଳ ମା କ୍ଷୀର ଖୁଆଇବା ଓ ୬ ମାସ ପରେ ମା କ୍ଷୀର ସହିତ ୨ ରୁ ୩ ପ୍ରକାର ରଙ୍ଗର ଘରୋଇ ରନ୍ଧା ଖାଦ୍ୟ ବୟସ ଅନୁପାତରେ ଖୁଆଇବା ପାଇଁ ନିମନ୍ତେ ଯଥେଷ୍ଟ ସଚେତନତା ସୃଷ୍ଟି କରାଇବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ କହିଥିଲେ । ନିଜ ଅଞ୍ଚଳରେ ଗୋଟିଏ ବି ଝିଅ ୧୮ ବର୍ଷରୁ କମ ବୟସରେ ଓ ପୁଅ ୨୧ ବର୍ଷରୁ କମ ବୟସରେ ବିବାହ କରାଇ ନ ଦେବା ନିମନ୍ତେ ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସି ଡି ପି ଓ ମାନଙ୍କୁ କହିଥିଲେ । ସମସ୍ତ ଅଙ୍ଗନବାଡି କର୍ମୀ ବାଲ୍ୟ ବିବାହର ସୂଚନା ତୁରନ୍ତ ସି ଡି ପି ଓ ମାନଙ୍କୁ ଜଣାଇବା ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ କହିଥିଲେ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତଲାଲ ଦିପ, କାର୍ଯ୍ୟକ୍ରମ ଓ ସୁରକ୍ଷା ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ସ୍ନେହ ଲତା ପାଢୀ ଡି ପି ଏମ, ପୁଷ୍ଟି ପରିଚାଳନା କାର୍ଯ୍ୟକ୍ରମ, ଜିତେନ୍ଦ୍ର ମହାପାତ୍ର ଡି ପି ସି ମମତା ଓ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶ ଦାତା ରତ୍ନେଶ୍ଵର ସାହୁ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ପରିଦର୍ଶିକା ଓ ମମତା କାର୍ଯ୍ୟକ୍ରମ ସହାୟକ ମାନେ ଉପସ୍ଥିତ ରହିଥିଲେ ।