ପୁରା ଖବର ବିଷୟରେ



କୋଭିଡ ଯୋଗୁଁ ଅନାଥ ହୋଇଥିବା ପିଲାଙ୍କୁ ଭେଟିଲେ ଜିଲ୍ଲାପାଳ ।

Jul 6 2021 6:55AM
(ଗୋଷାଣୀ ବ୍ଲକ ପ୍ରତିନିଧି ଷନ୍ତୋସ ନାୟକଙ୍କ ରିପୋର୍ଟ) ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କୋଭିଡ୍ ସମୟକାଳରେ ଗୋଷାଣୀ ପଞ୍ଚାୟତ ସମିତିର ଗୁରାଣ୍ଡି ଗ୍ରାମ ଏବଂ ସାନକତୁରୁ ଗ୍ରାମର ଦୁଇଗୋଟି ପରିବାରରର ୪ଗୋଟି ଅନାଥ ଶିଶୁଙ୍କୁ ଭେଟିଥିବାର ଜଣାପଡିଛି । ଜିଲ୍ଲାପାଳ ଶ୍ରୀପଣ୍ଡା ଅନାଥ ଶିଶୁ ମାନେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇ ପିଲାଙ୍କ ସହ କଥାବାର୍ତ୍ତା ହେବା ସହ ପିଲାମାନଙ୍କର ଭବିଷ୍ୟତକୁ ଗଢି ତୋଳିବାର ପ୍ରତିଶ୍ରୁତି ଦେଇ ଫେରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ପ୍ରତି ପରିବାର ପିଛା ରେଡକ୍ରସ୍ ଫଣ୍ଡରୁ ୧୦ହଜାର ଟଙ୍କା ଲେଖାଏଁ ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା, ଯୋଗ୍ୟ ପରିବାରଙ୍କୁ ବିଜୁ ପକ୍କା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବୀମା ଏବଂ ଉଚ୍ଚ ଶିକ୍ଷା ପାଇଁ ଗ୍ରୀନ ପେସେଜ୍ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଆଶିର୍ବାଦ ଯୋଜନା ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟକୁ ଗ୍ରାମ୍ୟସ୍ତରରେ ସରପଞ୍ଚ ଏବଂ ଅଙ୍ଗନୱାଡି କର୍ମୀ ସମ୍ପାଦନ କରୁଥିବା ବେଳେ ପଞ୍ଚାୟତ ସମିତି ସ୍ତରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ ଜିଲ୍ଲାସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଶିଶୁ ମଙ୍ଗଳ ସମିତି ଏବଂ ଚାଇଲ୍‌ଡଲାଇନ୍ ଦାୟିତ୍ୱ ନେଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ୮ଜଣ ଅନାଥ ଶିଶୁ ଚିହ୍ନଟ ହୋଇଥିଲା ବେଳେ ୨୦୯ ଜଣ ଏକକ ଅଭିଭାବକ ଶିଶୁ ଚିହ୍ନଟ ହୋଇଛନ୍ତି । ଯେଉଁ ମାନଙ୍କୁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କର ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରି ଅନାଥ ଶିଶୁ ମାନଙ୍କୁ ମାସକୁ ୨୫୦୦ଟଙ୍କା ଲେଖାଏଁ ଏବଂ ଏକକ ଅଭିଭାବକ ଶିଶୁଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା କରାଯିବ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଗୋଷାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ, ଗୁରାଣ୍ଡି ସରପଞ୍ଚ, ତାଟିପେଟି ସରପଞ୍ଚପ୍ରମୁଖ ଉପସ୍ଥିତଥିଲେ ।