ପୁରା ଖବର ବିଷୟରେ



ରାୟଗଡ଼ା ଡେପ୍ୟୁଟି କଲେକ୍ଟରଙ୍କ ଚନ୍ଦ୍ରପୁର ଓ ମୁନିଗୁଡ଼ା ଗସ୍ତ * ଦୁଇ ପ୍ରକଳ୍ପର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ

Jun 29 2021 1:53PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ଓ ଚନ୍ଦ୍ରପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱୟର କାର୍ଯ୍ୟସମୀକ୍ଷା ପାଇଁ ଆଜି ଦିନତମାମ ଡେପ୍ୟୁଟି କଲେକ୍ଟର୍ ତଥା ଭାରାପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡ଼ିଆ ଉଭୟ ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁସାରେ ମହିଳା ଓ ଶିଶୁ ବିକାଶ ତଥା ମିଶନଶକ୍ତି ବିଭାଗ ଅଧିନରେ ହେଉଥିବା ଶୁଖିଲା ଖାଦ୍ୟ ବଣ୍ଟନ, ମହିଳା ମାନଙ୍କ ଦ୍ୱାରା ମାସ୍କ୍ ପ୍ରସ୍ତୁତି, ମମତା ସହାୟତା ଓ ଛତୁଆ ଉତ୍ପାଦନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ସଠିକ୍ ଭାବରେ କାର୍ଯ୍ୟକାରୀ ହେଉଥିବା କଥା ଗଣମାଧ୍ୟମଙ୍କୁ ସେ ଯଣାଇଛନ୍ତି । ସୁଶ୍ରୀ ଝୋଡିଆ ମୁନିଗୁଡା ପ୍ରକଳ୍ପ ଅନ୍ତର୍ଗତ ଗାଙ୍ଗପଡା ସମେତ ଚନ୍ଦ୍ରପୁର ପ୍ରକଳ୍ପ ଅଧିନସ୍ଥ ହନୁମନ୍ତପୁରର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନର କରିଥିଲେ । ଘରକୁ ଘର ବୁଲି କରାଯାଉଥିବା "କୋଭିଡ୍-ସର୍ଭେ" ସମ୍ପର୍କୀତ ଥିବା ଏକ ଅଭିଯୋଗର ତଦନ୍ତ କରିବା ସହ ସମସ୍ତଙ୍କୁ ଆଶାକର୍ମୀ ମାନଙ୍କ ସହ ମିଶି ସୂଚାରୁରୂପେ କାର୍ଯ୍ୟ ସମାପନ ପାଇଁ ସେ ଅଙ୍ଗନବାଡ଼ି କର୍ମୀମାନଙ୍କ ଆଗ୍ରହ ପ୍ରକାଶ କରିଥିଲେ । ମହାମାରୀ ସମୟରେ ପିତାମାତାଙ୍କୁ ହରାଇଥିବା ତଥା ଯତ୍ନ ଓ ସୁରକ୍ଷା ଲୋଡ଼ା କରୁଥିବା ଶିଶୁମାନଙ୍କ ସଠିକ୍ ଥଇଥାନ ପାଇଁ ପଦକ୍ଷେପ ନେବାକୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଗତ ଦିନରେ ବଢ଼ି ଚାଲିଥିବା ବାଲ୍ୟବିବାହକୁ ରୋକିବା ଦିଗରେ ପୋଲିସ, ୧୦୯୮-ଚାଇଲ୍ଡ୍ ଲାଇନ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତା ନେବା ତଥା ତୃଣମୂଳ ସ୍ତରରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀମାନଙ୍କୁ ବୁଝାଇଥିଲେ । ଅଙ୍ଗନବାଡ଼ି କେନ୍ଦ୍ର ତରଫରୁ ଦିଆଯାଉଥିବା ଶୁଖିଲା ଖାଦ୍ୟ ସାମଗ୍ରୀ, ନୂତନ ଭାବରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର, ସ୍ୱୟଂସହାୟୀକା ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଉଥିବା ମାସ୍କ୍ ପ୍ରସ୍ତୁତି, ଖାଦ୍ୟ ବଣ୍ଟନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ତଥ୍ୟ ସଠିକ୍ ସମୟରେ ଉପରିସ୍ଥ କର୍ମଚାରୀଙ୍କୁ ପଇଠ କରିବା ପାଇଁ ସେ ସମସ୍ତଙ୍କୁ ତାଗିଦ କରିଥିଲେ । ମମତା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ର ମଧ୍ୟ ଏହି ଗସ୍ତରେ ସୁଶ୍ରୀ ଝୋଡ଼ିଆଙ ସହ ସାମିଲ ହୋଇ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣକୁ ସୁନିଶ୍ଚିତ କରିବାକୁ ସମସ୍ତଙ୍କୁ କହିଥିଲେ । ଉଭୟ ପ୍ରକଳ୍ପ ଅଞ୍ଚଳକୁ ଫେରିଥିବା ପ୍ରବାସୀ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ମମତା ହିତାଧିକାରୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ କରିବା ପାଇଁ ସୁଶ୍ରୀ ଝୋଡ଼ିଆ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚନ୍ଦ୍ରପୁର ପ୍ରକଳ୍ପର ହନୁମନ୍ତପୁର ସେକ୍ଟର, ମୁନିଗୁଡା ପ୍ରକଳ୍ପର ସଦର ସେକ୍ଟର ଆଦିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କର ସାମୁହିକ ଅଗ୍ରଗତି ନିମ୍ନସ୍ତରରେ ଥିବା ଏବଂ ଆଗାମୀ ସପ୍ତାହ ମଧ୍ୟରେ ଯୁଦ୍ଧକାଳିନ ଭାବରେ ସମସ୍ତ ହିତାଧିକାରୀଙ୍କ ତଥ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସେ କହିଥିଲେ । ଉଭୟ ପ୍ରକଳ୍ପର କାର୍ଯ୍ୟରତ ସ୍ଥାନୀୟ ସେକ୍ଟର ସୁପରଭାଇଜର ମାନେ ଏହି ଗସ୍ତ ସମୟରେ ଉପସ୍ଥିତ ରହି ଆବଶ୍ୟକତା ଅନୁସାରେ ବିଭିନ୍ନ ତଥ୍ୟ ସୁଶ୍ରୀ ଝୋଡିଆଙ୍କୁ ପ୍ରଦାନ କରିଥିଲେ । ଉଭୟ ପ୍ରକଳ୍ପରେ କାର୍ଯ୍ୟରତ ମମତା ସହାୟକ ଏବଂ ମିଶନ ଶକ୍ତି କୋର୍ଡିନେଟର ପ୍ରମୁଖ ଉପସ୍ଥିତ ରହିଥିଲେ । ଚନ୍ଦ୍ରପୁର ପ୍ରକଳ୍ପ ଅଞ୍ଚଳର ବିଭିନ୍ନ ସ୍ଥାନରେ "ମୋବାଇଲ ନେଟୱାର୍କ" ରହୁନଥିବା ବେଳେ କର୍ମୀମାନେ ନେଟୱାର୍କ ରହୁଥିବା ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଯାଇ ସମସ୍ତ ବୈଷୟିକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ପ୍ରକଳ୍ପରେ ରହିଥିବା ହିତାଧିକାରୀଙ୍କ ଆଧାର ସମସ୍ୟାକୁ ନେଇ ସୁଶ୍ରୀ ଝୋଡିଆ ବ୍ୟଥିତ ହେବା ସହ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗୋଚରକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ମୁନିଗୁଡା ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ସହ ସ୍ୱଳ୍ପ ସମୟର ସମୀକ୍ଷା ସାରି ଫେରିବା ବାଟରେ ମୁନିଗୁଡାର ସମର୍ଥ ସ୍ୱୟଂ ସହାୟୀକା ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ଛତୁଆ ପ୍ରସ୍ତୁତି ସମ୍ପର୍କରେ, କାର୍ଯ୍ୟରତ ସଭ୍ୟ ସମୂହଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ ।