ପୁରା ଖବର ବିଷୟରେ



ରାୟଗଡା ଜିଲ୍ଳା ପରିଷଦର ୭୩ ତମ ବୈଠକ ଅନଲାଇନରେ ଅନୁଷ୍ଠିତ

Jun 27 2021 5:35AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ମନରେଗା ଯୋଜନାରେ ଅଣକୁଶଳୀ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଲକ୍ଷ୍ୟ ରାୟଗଡ ଜିଲ୍ଳା ପରିଷଦର ୭୩ତମ ବୈଠକ ଆଜି ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଳା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ବୀଣାପାଣି ସାହୁକାର,ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକା,ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ,ବିଧାୟକ ରାୟଗଡ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ସମେତ ସମସ୍ତ ଜିଲ୍ଳା ପରିଷଦ ସଭ୍ୟସଭ୍ୟା ଓ ପଂଚାୟତ ସମିତି ଅଧ୍ୟକ୍ଷ ମାନେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ପଂଚମ ରାଜ୍ୟ ଅର୍ଥ ଆୟୋଗ ଏବଂ ପଂଚଦଶ କେନ୍ଦ୍ରୀୟ ଆୟୋଗର ସୁପାରିଶ କ୍ରମେ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପ୍ରଦାନ କରାଯାଇଥିବା ପାଣ୍ଠି ଅନୁଦାନର ରାୟଗଡ ଜିଲ୍ଳା ପରିଷଦ ଅଂଶକୁ ଅନୁମୋଦନ କରାଯାଇଥିଲା । ସେହିପରି ଏସଏଫସି ଅନୁଦାନର ୧୩୨ଟି ଏବଂ ସିଏଫସି ଅନୁଦାନର ୧୦୮ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ସ୍ଥିର କରାଯାଇଥିବା ବେଳେ ଏଥିରେ ରାସ୍ତାଘାଟ, ସ୍ୱାସ୍ଥ୍ୟ,ପାନୀୟଜଳ, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ, ସ୍କୁଲ ଗୃହ ମରାମତି ଓ ନିର୍ମାଣ, ଗ୍ରାମ୍ୟ ହାଟ ଓ ଦୋକାନ ଗୃହ ନିର୍ମାଣ ଆଦି ଅନ୍ତର୍ଭୁକ୍ତ ରହିଛି । ସେହିପରି ବିଭିନ୍ନ ଗ୍ରାମ ପଂଚାୟତର ସଦର ଠାରେ ଏକ ଗ୍ରାମ୍ୟ ପାଠାଗାର ଓ ଗ୍ରାମ୍ୟ ଉଦ୍ୟାନ,ଖେଳ ପଡିଆ,ଏସଏଚଜି ୱାର୍କସେଡ୍ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥକୀକରଣ କେନ୍ଦ୍ର ନିର୍ମାଣ କରାଯିବା ଉପରେ ଏବଂ ପ୍ରାକୃତିକ ସଂପଦ ପରିଚାଳନାରେ କୃଷି ପ୍ରକଳ୍ପ,ବନୀକରଣ ଏବଂ ରାସ୍ତା ସଂଯୋଗୀକରଣ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି । ଜିଲ୍ଳା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ୩୭୭ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇ ଜିଲ୍ଳାର ପାନୀୟ ଜଳ ସମସ୍ୟାକୁ ଦୂର କରିବାର ଲକ୍ଷ୍ୟ ରଖାଯାଇଛି । ୨୦୨୧-୨୨ଆର୍ଥିକ ବର୍ଷ ନିମନ୍ତେ ମନରେଗା ଯୋଜନାରେ ବାର୍ଷିକ କାର୍ଯ୍ୟ ଖସଡାକୁ ଅନୁମୋଦନ କରାଯାଇଥିବା ବେଳେ ୧କୋଟି ୧୬ଲକ୍ଷ ୫୧ହଜାର ୫ଶହ ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥି ନିମନ୍ତେ ୫୪୮କୋଟି ୫ଲକ୍ଷ ୫୨ହଜାର ଟଙ୍କାର ବ୍ୟୟ ଅଟକଳ ଆକଳନକୁ ମଂଜୁର କରାଯାଇଛି । ଜିଲ୍ଳାରେ ଅଧିକରୁ ଅଧିକ ଶ୍ରମ ଭିତିକ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରି ଅଣକୁଶଳି ଶ୍ରମିକମାନଙ୍କୁ କାମ ଯୋଗାଇବା ଭଳି ପ୍ରକଳ୍ପ କରିବା ଉପରେ କୋରାପୁଟ ଲୋକସଭା ସାଂସଦ ଶ୍ରୀ ଉଲାକା ଗୁରୁତ୍ୱାରୋପ କରିଥିଲେ । ସେହିପରି ଜିଲ୍ଳାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗ ନିମେନ୍ତ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ସାରକା ନିବେଦନ କରିଥିଲେ । ଜିଲ୍ଳାରେ ଟୀକାକରଣକୁ ଆହୁରି ତ୍ୱରାନ୍ନିତ କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ରାଓ ବୈଠକରେ ପ୍ରକାଶ କରିଥିଲେ । ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ମଧ୍ୟ ଜିଲ୍ଳାର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତଙ୍କ ଗଠନମୂଳକ ମତାମତ ଓ ପରାମର୍ଶ ଦେବା ପାଇଁ ଅନୁରୋଧ କରିଥିଲେ । ସେହିପରି ବୈଠକରେ ସର୍ବସମ୍ମତି କ୍ରମେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୁପରିଚାଳନା ନିମନ୍ତେ ନୂତନ ଭାବେ ଏକ ଗଭର୍ଣ୍ଣିଂ ବୋଡି ଗଠନ କରାଯାଇଥିଲା । ବୈଠକରେ ପିଡି-ଡିଆରଡିଏ ମହେଶ୍ୱର ନାଏକ ବିବରଣୀ ପଠନ କରିଥିବା ବେଳେ ଏପିଡି ଭୀମସେନ ଶବର ଧନ୍ୟବାଦ ଅର୍ପଣ କରିଥିଲେ ।