ପୁରା ଖବର ବିଷୟରେ



ଆଖିରେ ଆଖିଏ ସ୍ବପ୍ନ

Dec 27 2019
ଆଖିରେ ଆଖିଏ ସ୍ବପ୍ନ ନେଇ ମାଁ ଦେଖିଥିଲା ସ୍ବପ୍ନ, ପୁଅ ମୋର ବଡ ହେବ , ପାଠ ପଢି ରୋଜଗାର କରିବ ଆଉ ବାର୍ଦ୍ଧକ୍ୟରେ ତା ଆଶା ବାଡ଼ି ସାଜିବ । କିନ୍ତୁ ଦଇବର ଏ କି' ନିଷ୍ଠୁର ବିଚାର ଥିଲା କେଜାଣି, ହଠାତ ସୁନା ପୁଅଟି ସାଜିଗଲା ପାଗଳ। ହଁ ପାଗଳ , ପଦ୍ମପୁର ବ୍ଲକ ଅନ୍ତର୍ଗତ ନଇରା ଗ୍ରାମ ପଂଚାୟତର ଜଗନ୍ନାଥ ପଣ୍ଡା (୪୫), ପିତା: ସ୍ବର୍ଗତ ସଦାନନ୍ଦ ପଣ୍ଡା, ମାତା: କୁମଦିନି ପଣ୍ଡା (୯୦), କଣ୍ଡକ୍ଟର କାମ କରି ଖୁବ ଆନନ୍ଦରେ କଟିଯାଉଥିଲା ମାଁ ଓ ପୁଅଙ୍କ ଖୁସିର ଜୀବନ । ହେଲେ ହଠାତ ଏ ଦୁଃଖର କଳା ବାଦଲଟେ କେଜାଣି କେଉଁ ଆଡୁ ଆସି ଭାଙ୍ଗି ଦେଇଗଲା ବୁଢ଼ୀ ମାଁର ଆଖିର ସ୍ବପ୍ନ ଆଉ ଚୀର ଦିନ ପାଇଁ କବର କରି ଚାଲିଗଲା ଜଗନ୍ନାଥର ମନତଳେ ସାଇତି ରଖିଥିବା ଅଧୁରା ସୁନ୍ଦର ସ୍ବପ୍ନ ସବୁକୁ। ବର୍ତ୍ତମାନ ସମାଜରେ ସେ ଏକ ଆଶ୍ରୟ ହୀନ ପାଗଳ। ବୁଢ଼ୀ ମାଁ ଯିଏକି ନିଜର ଦାୟିତ୍ୱ ନିଜେ ନେବା ପାଇଁ ସଂପୂର୍ଣ୍ଣ ଅସମର୍ଥ, ସେ ପୁଅର ଅବା ଖିଆଲ ନେବ କିପରି ? ବର୍ତ୍ତମାନ ଜଗନ୍ନାଥ ନିରାଶ୍ରୟ ହୋଇ ସାହିରୁ ସାହି ଓ ଗାଁ ରୁ ଗାଁ ଘୁରି ବୁଲୁଛି । କିଏ ଯଦି କେବେ କିଛି ଦିଏ ତେବେ ଖାଉଛି ନଚେତ ଉପାସରେ ଦିନ କାଟୁଛି । ଶୋଇବା କିମ୍ବା ଗାଧୋଇବାର କିଛି ଠିକ ଠିକଣା ନାହିଁ । ବେଳେବେଳେ ଦୃଷ୍ଟଲୋକଙ୍କ କୋପର ଶିକାର ହୋଇ ମାଡ ବି ଖାଉଛି । ସତରେ ଭାରି ଦୟନୀୟ ଜୀବନ ଜିଉଁଛି ଜଗନ୍ନାଥ । ତେଣୁ ଆମେ ଚାହିଁଲେ ପୁଣି ଜଗନ୍ନାଥ ସାଧାରଣ ଜୀବନଯାପନ କରିପାରିବ । କିନ୍ତୁ ଦୁଃଖର ବିଷୟ ଏହି କି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା କୌଣସି ସରକାରୀ କର୍ମଚାରୀ ଜଗନ୍ନାଥ ନିକଟରେ ପହଞ୍ଚିପାରିନାହିଁ।