ପୁରା ଖବର ବିଷୟରେ



କେନ୍ଦୁପତ୍ର ତୋଳାଳୀଙ୍କ ଜୀବନ ଜୀବିକା ଆଜି ଅନିଶ୍ଚିତତା ମଧ୍ୟରେ। ‌

May 23 2021 6:39PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଓଡ଼ିଶାର ଏକ ପାର୍ବତ୍ୟାଞ୍ଚଳ ଭାବେ ଖ୍ୟାତ ରାୟଗଡା ଜିଲ୍ଲାରେ ପ୍ରାୟତଃ ଅନୁସୂଚିତ ଜାତି,ଜନଜାତି ଓ ଅତି ଗରିବ ଶ୍ରେଣୀର ଅର୍ଥନୈତିକ ଦୃଷ୍ଟିରୁ ପିଛିଡା ଲୋକମାନେ ବସବାସ କରିଥାନ୍ତି।ଉପକୂଳ ଅଂଚଳ ପରି ଏହି ମାଳାଞ୍ଚଳରେ ସମତଳ ତଥା କୃଷି ଉପଯୋଗୀ ଭୂମି ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଏଠିକାର ମଣିଷ ପ୍ରକୃତିଦତ୍ତ ସାମଗ୍ରୀକୁ ନେଇ ନିଜ ନିଜର ଜୀବନ ଜୀବିକାକୁ ଆଗକୁ ବଢାଇଥାନ୍ତି।ବିଶେଷତଃ ଏମାନେ ଜଙ୍ଗଲଜାତ ଦ୍ରବ୍ୟ,ଡଙ୍ଗର କୃଷି ଓ ଉଦ୍ୟାନ କୃଷି ଉପରେ ନିର୍ଭରଶୀଳ।ଜଙ୍ଗଲର ଚେରମୁଳି, ବିଭିନ୍ନ ପ୍ରଜାତିର କନ୍ଦା,ବାଉଁଶ କଡ଼ି, ପାଳୁଅ,ମହୁଲ,ଟୋଲ,କରଞ୍ଜ ମଞ୍ଜି,କୁଶୁମ ମଞ୍ଜି,ଝୁଣା,ମହୁ,ଜାଳେଣି କାଠ,ଶିଆଳି ପତ୍ର,ଶାଳ ପତ୍ର,ଶିଆଳି ଦଉଡି,ଜଡ଼ିବୁଟି,କେନ୍ଦୁପତ୍ର,ଡଙ୍ଗର କୃଷିରୁ ମାଣ୍ଡିଆ,ଜହ୍ନା,କାଙ୍ଗୁ,କୋଶଳା,ସୁଆଁ,ମକା,ହଳଦୀ,ଅଦା,ଅଳସୀ,ସପୁରୀ,ଲେମ୍ବୁ,ଜଙ୍ଗଲୀ ଦେଶୀ ଆମ୍ବ,ଛତୁ,ପଣଷ ଆଦି ଋତୁ ଅନୁଯାୟୀ ସଂଗ୍ରହ କରି ବିକ୍ରି କରି ଥାଆନ୍ତି।ରାୟଗଡା ଜିଲ୍ଲାର ମୁନିଗୁଡା ଅଂଚଳ ନିୟମଗିରି ପାର୍ବତ୍ୟାଞ୍ଚଳର ପାଦ ଦେଶରେ ଅବସ୍ଥିତ।ବ୍ଲକଟିକୁ ଚାରିପଟୁ ଘେରି ବସିଛନ୍ତି ଅନେକ ଆକାଶଛୁଆଁ କୁଞ୍ଚୁକୁଞ୍ଚିଆ ନୀଳ ପର୍ବତ।ଏବେ ଖରାଦିନେ ଏ ଅଞ୍ଚଳର ପିଲା,ବୁଢାବୁଢ଼ୀ ଠୁ ଆରମ୍ଭ କରି ଭୁଆଶୁଣି ମହିଳା ପର୍ଯ୍ୟନ୍ତ ସଭିଙ୍କ ମୁଖ୍ୟ ଆୟର ମାଧ୍ୟମ କେନ୍ଦୁପତ୍ର ତୋଳିବା ବିକିବା।କୁହୁଡି ଭିଜା ପାହାନ୍ତିଆ ସକାଳୁ ସକାଳୁ ଏଇ ଗରିବ ମଣିଷମାନେ ହାତରେ ଅଖାବସ୍ତାଟିଏ ନେଇ ପରିବାର ସହ ବାହାରି ପଡନ୍ତି କେନ୍ଦୁପତ୍ର ସଂଗ୍ରହ ପାଇଁ।ଭୋକର ଦାଉ ମେଣ୍ଟାଇବା ପାଇଁ ଘରୁ ନେଇଥାନ୍ତି ମାଣ୍ଡିଆ ପେଜ।ଭୋକ ଲାଗିଲେ ଢୋକେ ପିଇ ଦିଅନ୍ତି ମାଣ୍ଡିଆ ଜାଉ। କେନ୍ଦୁପତ୍ର ତୋଳୁତୋଳୁ କେତେବେଳେ ମୁହଁ ସଞ୍ଜ ହୋଇଯାଏ ସେମାନଙ୍କୁ ଜଣା ପଡେନି।ବେଳେବେଳେ ଆକାଶରୁ ବର୍ଷୁଥିବା ମୁଣ୍ଡଫଟା ନିଆଁକୁ ଏମାନେ ଲୁଗାକାନି ଆଉ ଗାମୁଛାର ଉହାଡରେ ଏଡେଇ ଦିଅନ୍ତି, କେତେବେଳେ କେତେବେଳେ ଏମାନେ ପେଟ ଚାଖଣ୍ଡକ ପାଇଁ ଅଦିନିଆ ଆକାଶୀ ବାଦଲ ଫଟା ବର୍ଷା ଓ ଛାତିଥରା ବିଜୁଳୀ ଘଡଘଡିକୁ ଛାତି ପତେଇ ଦିଅନ୍ତି।ପେଟ ପାଇଁ ଜୀବନ ସହିତ ଆସନ୍ନ ବିପଦର ଲୁଚୁକାଳୀ ଖେଳ ଏମାନଙ୍କର ନିତିଦିନିଆ ଘଟଣା।କଅଁଳ କେନ୍ଦୁପତ୍ର ତୋଳୁତୋଳୁ ଉଇ ହୁଙ୍କାରେ ଥିବା ନାଗ ସାପ ଦଂଶନରେ ହେଉ ଅବା ବନ୍ୟଜନ୍ତୁଙ୍କ ଅଚାନକ ଆକ୍ରମଣରେ ଏହି ଅସଙ୍ଗଠିତ କେନ୍ଦୁପତ୍ର ଶ୍ରମିକ ମାନଙ୍କ ଜୀବନ ଚାଲିଯାଉଥିବା ଖବର ସେଇ ଗାଁର ଅନ୍ଧାର ଛାଇ ମଧ୍ୟରେ ଛୁପି ଯାଉଛି।ଏମାନଙ୍କ ସୁରକ୍ଷା ଓ ବ୍ୟବସ୍ଥା ପାଇଁ ସରକାରୀ ଦସ୍ତାବିଜରେ ଅନେକ ବ୍ୟବସ୍ଥା ଥିଲେ କ'ଣ ହେବ ପ୍ରଶାସନିକ ଶିଥିଳତା ଆଉ ଶ୍ରମିକମାନଙ୍କ ଅଂଗ୍ୟତା କାରଣରୁ ଆଜି କେନ୍ଦୁପତ୍ର ତୋଳାଳୀ ମାନଙ୍କ ଜୀବନ ଜୀବିକା ସଂକଟରେ ଗତି କରୁଛି।ମୁନିଗୁଡା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକର ଅମ୍ଳାଭଟ୍ଟା,ଅମ୍ବାଦଳା,ରଘୁବାରି,ଶରଧାପୁର,ମେରିଂ,ମଧୁମୁଣ୍ଡା,ଆଗୁଳ,ଖଜୁରିପଦର,ଖିଲାମୁଣ୍ଡା,ହୁକୁମତଲା,ହାଟ ମୁନିଗୁଡା,ମୁନିଖୋଲ,କୁଟ୍ରାଗଡ,ଗଜାକୁପୁଲି,ଦେକୁପୁଲି,ସାରକିମା,ବୁଡୁବାଲି,ଟୁରୀଗୁଡା,ପିସ୍କାପଙ୍ଗା,ବିଜାପୁର ଆଦି ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର କେନ୍ଦୁପତ୍ର ମିଳିଥାଏ।ଆଉ ଏହି କଅଁଳ କେନ୍ଦୁପତ୍ର ତୋଳିବାରେ ଏ ଅଞ୍ଚଳର ପିଲାଠୁ ବୁଢ଼ାବୁଢ଼ୀ ଯାଏ ହଜାରହଜାର ଶ୍ରମିକ ଲାଗିଥାନ୍ତି।ଏହି ଉତ୍ତପ୍ତ ଖରା ଦିନ ମାନଙ୍କରେ ପ୍ରାୟତଃ କାମ ମିଳି ନଥାଏ।ଏଣୁ ଭଗବାନଙ୍କ ଅପାର କରୁଣାରୁ କେନ୍ଦୁପତ୍ର ଏହି ଖରାଦିନରେ କଅଁଳି ଥାଏ ଆଉ ରୋଜଗାର ପାଇଁ ସୁଯୋଗ ଯୋଗାଇଥାଏ।ହେଲେ ଆଗଭଳି ଆଜିକାଲି ସରକାରୀ ପ୍ରୋତ୍ସାହନ ଆଉ ସେତେ ମିଳୁନାହିଁ।କେନ୍ଦୁପତ୍ର ତୋଳିବାକୁ ଗଲାବେଳେ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଛତା,ଜୋତା,ଟୋପି ଅବା ଅନ୍ୟ ସୁରକ୍ଷା ଉପକରଣ ମିଳୁନାହିଁ।ସେମାନଙ୍କୁ ମିଳିବାକୁ ଥିବା ସୁରକ୍ଷା ବୀମା,ବୋନସ,ସେମାନଙ୍କ ପଢ଼ୁଥିବା ପିଲାମାନଙ୍କୁ ଛାତ୍ରବୃତି ଆଦି ସବୁ ଆଜି କାଗଜ କଲମରେ ସୀମିତ ବୋଲି ଜଣେ ମହିଳା ଶ୍ରମିକ ଦୁଃଖର ସହ ପ୍ରକାଶ କରିଥିଲେ।ସେମାନଙ୍କ କହିବା ଅନୁଯାୟୀ ସେମାନେ ବାପା ଅଜା ଅମଳରୁ ଏହି କାର୍ଯ୍ୟ ପୁରୁଷ ପୁରଷ ହେବ କରି ଆସୁଥିଲେ ମଧ୍ୟ ଆମକୁ କୌଣସି ସୁବିଧା ଆଜି ପର୍ଯ୍ୟନ୍ତ ମିଳିନି ବରଂ ତୁମ ପତ୍ର ଠିକ ନାହିଁ,ବିଡ଼ାରେ ୪୦ପତ୍ର ଜାଗାରେ କମ ଥିଲା ଭଳି ଲାଗୁଛି,ପତ୍ର ଫଟା ଅଛି,ଅନେକ ଅବାନ୍ତର କଥା ଶୁଣିବାକୁ ମିଳେ।ଦିନ ତମାମ ପତ୍ର ତୋଳି ,ତାକୁ ବିଡ଼ାକରି ଶୁଖାଇବାକୁ ପଡେ ପବନ,ବର୍ଷା ଦୈଵ ଦୁର୍ବିପାକକୁ ସହି ପେଟ ଚାଖଣ୍ଡକ ପାଇଁ ଏତେ କଲା ପରେ ମଧ୍ୟ ଉପଯୁକ୍ତ ପାରିଶ୍ରମିକ ମିଳେନାହିଁ ବୋଲି ଜଣେ ବୃଦ୍ଧ କହିଲା ବେଳେ ବାଷ୍ପରୁଦ୍ଧ ହୋଇ ଉଠିଥିଲା ତାଙ୍କ ଶୁଖିଲା କଣ୍ଠ।ଗୋଟିଏ ବିଡ଼ାରେ୪୦ଟି ଭଲ ପତ୍ର ଥିବାର ଅଛି,ଏହିପରି ଶହେ ବିଡା ପତ୍ର ସୁରକ୍ଷିତ ଭାବେ ଶୁଖାଇକରି ଦେଲେ ୨୪୦ଟଙ୍କା ମିଳିବ।ଏତକ ଯୋଗାଡ଼ କରିବା ଆଉ ଜଗାରଖା ପାଇଁ ଦୁଇତିନି ଲାଗି ଯାଏ।ତା'ଅର୍ଥ ଦୁଇ ଦିନ ଦିନ ତମାମ କାମ କଲେ ଜଣଙ୍କୁ ୨୪୦ଟଙ୍କା ସରକାରୀ ତହବିଲରୁ ମିଳୁଥିବା ଦେଖିବାକୁ ମିଳୁଛି।ଏପଟେ ସରକାର ଡିଣ୍ଡିମ ପିଟୁଛନ୍ତି ଗରିବ ଲୋକଙ୍କୁ ଆମେ ରୋଜଗାର ଯୋଗାଇ ଦେଉଛୁ,ବିଭିନ୍ନ ଯୋଜନାର ରଙ୍ଗୀନ ଚିତ୍ର ଦେଖାଉଛନ୍ତି।ହେଲେ ଆମ ଅଂଚଳର ଗାଁ ଗହଳିର ଲୋକେ ଏହି ରୋଜଗାରରୁ କେତେ ଅର୍ଥ ପାଉଛନ୍ତି ତାହା ଆଜି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଯଦି ଏଠି ଲୋକଙ୍କର ସରକାରୀ ଯୋଜନା ରୋଜଗାରରେ ପେଟ ପୁରୁଥାନ୍ତା ତେବେ ସେମାନେ ଲୁଚିଛପି କେରଳ,ଗୁଜୁରାଟ ,ଆନ୍ଦ୍ର,ତାମିଲନାଡୁ ଓ ତେଲେଙ୍ଗାନା କୁଲି ଖଟିବାକୁ ଯାଉନଥାନ୍ତେ।କେନ୍ଦୁପତ୍ର ତୋଳାଳୀଙ୍କୁ ଯେଉଁ ଅର୍ଥ ପତ୍ର ବିନିମୟରେ ମିଳୁଛି ତାହା ଦ୍ୱାରା ପେଟ ପୁରୁନି କି ପିଠି ବି ଲୁଚୁନି।ଆଜି ଘରେଘରେ ଶିଶୁ ଶ୍ରମିକମାନେ ବିଭିନ୍ନ ଶ୍ରମିକ କାର୍ଯ୍ୟରେ ନିୟୋଜିତ।ସେମାନଙ୍କ ଶିକ୍ଷାଦୀକ୍ଷା ପାଇଁ ପୂର୍ବରୁ ସରକାରଙ୍କ ଶ୍ରମିକ ବିଦ୍ୟାଳୟ ବ୍ୟବସ୍ଥା ଥିଲା।ହେଲେ ଏ ଅଂଚଳରେ ସେ ବ୍ୟବସ୍ଥା ମଧ୍ୟ ସାତ ସପନ।ଦ୍ବିତୀୟତଃ କେନ୍ଦୁପତ୍ର ଶ୍ରମିକ ମାନଙ୍କ ପାଠ ପଢ଼ୁଥିବା ପିଲାଙ୍କୁ ଛାତ୍ରବୃତ୍ତି ଆଉ ମିଳୁନି।ଏବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲାରୁ ସେ କହିଲେ ଯେହେତୁ ଆଦିବାସୀ ହରିଜନ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ଆବଶ୍ୟକ ଛାତ୍ରବୃତ୍ତି ମିଳୁଛି ଏଣେ କେନ୍ଦୁଲିପ ବିଭାଗ ଏହାକୁ ବନ୍ଦ କରିଦେଇଛି।କିନ୍ତୁ ଯେଉଁ ଗରିବ ଶ୍ରମିକ ଆଦିବାସୀ କି ହରିଜନ ନୁହନ୍ତି ସେମାନଙ୍କ ପାଠ ପଢ଼ୁଥିବା ପିଲାଙ୍କୁ ଛାତ୍ରଛାତ୍ରୀ ବୃତ୍ତି ମିଳିବା ଉଚିତ ନୁହେଁକି?ପ୍ରତ୍ୟେକ ଶ୍ରମିଙ୍କ ଜୀବନ ବୀମା କରିବା ସରକାରଙ୍କ କାର୍ଯ୍ୟ ନୁହେଁକି?ଯଦି କୌଣସି ଶ୍ରମିକ କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ହୋଇଗଲା ତାକୁ କ୍ଷତି ପୁରଣ ରାଶି ସହିତ ଇନ୍ସୁରାନ୍ସ ସହାୟତା ପାଇବା ପାଇଁ ବିଭାଗ ବ୍ୟବସ୍ଥା କରିବା ଉଚିତ ନୁହେଁକି?ପ୍ରତ୍ୟେକ ଶ୍ରମିକଙ୍କୁ ପଞ୍ଜିକରଣ ସହିତ ସୁରକ୍ଷା ସରଞ୍ଜାମ ଯୋଗାଇବା ବିଭାଗର ଦାୟିତ୍ୱ ନୁହେଁକି?ବୋନସ ଦେବାରେ ଟାଳଟୁଳ ନୀତି କରିବା ସହ ୨୦୧୭ମସିହାରେ ମିଳୁଥିବା ୧୦୦%ବୋନସ ଏବେ ୫୦% କାହାକୁ ୨୫% ମିଳୁଥିବା ଶୁଣିବାକୁ ମୁଳୁଛି।ଅନେକ ଶ୍ରମିକଙ୍କୁ ବୋନସରୁ ବଂଚିତ ମଧ୍ୟ କରାଯାଉଛି ବୋଲି ଶ୍ରମିକମାନେ କହୁଛନ୍ତି,ଏହା କରିବା ଠିକ କି?ପତ୍ରର ମାନକୁ ନେଇ ଅଯଥା କଥା ଉଠାଇ ଶ୍ରମିକ ମାନଙ୍କ ପରିଶ୍ରମକୁ କୁଠାରଘାତ କରିବା କେତେଦୂର ଯଥାର୍ଥ?ନିଜେ ବିଭାଗ ଆବଶ୍ୟକ ପରିମାଣ କେନ୍ଦୁପତ୍ର ନକିଣି ବିଭିନ୍ନ ଅର୍ଥଖୋର କମ୍ପାନୀକୁ ପତ୍ର କିଣିବାକୁ ଅନୁମତି ଦେବା ପଛରେ କି ଶ୍ରମିକ ସ୍ୱାର୍ଥ ନିହିତ ଅଛି ବା ଅନ୍ୟ କିଛି ଭିତିରି ରହସ୍ୟ ଅଛି?ଏତେସବୁ ଫନ୍ଦି ଫିକରି ମଧ୍ୟରେ ଛନ୍ଦି ହୋଇ ଵିଚାରା କେନ୍ଦୁପତ୍ର ତୋଳାଳୀ ଶ୍ରମିକଟି ଏବେ ବାଧ୍ୟହୋଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି।ପେଟ ପାଇଁ ସରକାରୀ ଛାଟକୁ କମ୍ପାନୀ ନାତ ସବୁ ସହିବାକୁ ପଡୁଛି ବିଚାରାକୁ।ସବୁ ମିଳିଭଗତରେ ସଲାସୁତୁରାରେ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ବିଭାଗୀୟ ଅଧିକାରୀ କମ୍ପାନୀ କୋଟକୁ ବଲ ଫିଙ୍ଗୁ ଥିବା ବେଳେ କମ୍ପାନୀ ଆଇନର ବଳୟ ଦେଖାଉଚ୍ଛି।ଶ୍ରମିକ ପାଇଁ କେହି ଥିଲା ଭଳି ଲାଗୁନି।ବାଧ୍ୟ ବାଧ୍ୟକତାରେ ପେଟ ପାଇଁ ଜୀବିକାକୁ ଜାବୁଡି ଧରିବାକୁ ପଡୁଛି କେନ୍ଦୁପତ୍ର ତୋଳାଳୀଙ୍କୁ।ଉପରିସ୍ଥ ପଦସ୍ଥ ଅଧିକାରୀ ତୃଣମୂଳ ସ୍ଥରର ଏହି ନିଷ୍ପାପ ଶ୍ରମିକମାନଙ୍କ ଜୀବନ ଜୀବିକା ବିଷୟକୁ ନେଇ ଆନ୍ତରିକତାର ସହ ଚିନ୍ତା କରିବାର ଅଛି।ନଚେତ ଦଳେ ପାରମ୍ପାରିକ ଶ୍ରମିକ ଏହି ବୃତ୍ତି ଛାଡି ପର ରାଇଜରେ ଦାଦନ କୁଲି ହେବାକୁ ବେଶୀ ଦିନ ଆଉ ଲାଗିବନି।