ପୁରା ଖବର ବିଷୟରେ



ଉପ ଜିଲ୍ଲାପାଳଙ୍କ କୋଭିଡ ସେବା କେନ୍ଦ୍ର ପରିଦର୍ଶନ ।

May 20 2021 9:21PM
(ଗୁଣୁପୁର ରୁ ମନୋଜ କୁମାର ଦାସ କଂ ରିପୋର୍ଟ) ଗୁଣପୁର, ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଜି ଅଚାନକ ଭାବେ ଗୁଣପୁର ଆଦର୍ଶ ବିଦ୍ୟାଳୟ ସ୍ଥିତ କୋଭିଡ ସେବାକେନ୍ଦ୍ର ପରିଦର୍ଶନ କରିଥିଲେ । ସେବାକେନ୍ଦ୍ରରେ ପହଁଚି ପିପିଇ କିଟ ପିନ୍ଧି ସେବାକେନ୍ଦ୍ର ଭିତରକୁ ଯାଇ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ଅନ୍ତେବାସୀଙ୍କ ଖାଇବା, ଜଳଖିଆ, ସାବୁନ, ସାନିଟାଇଜ ଆଦି ଯୋଗାଣ ବିଷୟରେ ଆଲୋଚନା କରିଥିଲେ । କିଛି ଅନ୍ତେବାସୀ ଖାଇବା ନେଇ ଅସନ୍ତୋଷ ପ୍ରକାଶ କରିବାରୁ ଉନ୍ନତ ଧରଣର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଖାଦ୍ୟ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉନ୍ନତ ଧରଣର ଖାଦ୍ୟ ପ୍ରସ୍ତୁତ କରି ସେବା କେନ୍ଦ୍ରକୁ ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପୌର ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଆବଶ୍ୟକ ସ୍ଥଳେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ପରିମାଣର ଅର୍ଥ ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ସୁପାରିଶ ଆଣିବା ନିମନ୍ତେ ଉପ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । କୋଭିଡ ସେବା କେନ୍ଦ୍ର ଠାରେ ଥିବା ଅକ୍ସୀମିଟର ଠିକ କାମ କରୁଛି ନସ ନାହିଁ ନିଜେ ପରୀକ୍ଷା କରି ଦେଖିଥିଲେ । ଜିଲ୍ଲାପାଳଙ୍କ ଆଦେଶକ୍ରମେ ଗୁଣପୁର ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ୱର ତାଣ୍ଡି କୋଭିଡ ସେବା କେନ୍ଦ୍ରର ଦାୟିତ୍ୱ ନେଇଥିବାରୁ ଉପ ଜିଲ୍ଲାପାଳ ଶ୍ରୀ ତାଣ୍ଡିଙ୍କୁ କେନ୍ଦ୍ରର ସମସ୍ତ ବିଷୟ ବସ୍ତୁ ଅନୁଧ୍ୟାନ କରି ପ୍ରତିଦିନ ରିପୋର୍ଟ ଦେବାକୁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳ ପିପିଇ କିଟ ପିନ୍ଧି ସେବା କେନ୍ଦ୍ର ଭିତରକୁ ଯାଇ ସମସ୍ତ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିବାରୁ ଅନ୍ତେବାସୀ ଆଶ୍ୱସ୍ତ ପ୍ରକାଶ କରିଥିଲେ । ଉପ ଜିଲ୍ଲାପାଳଙ୍କ ଆଜିର ଏହି ଗସ୍ତ ସମୟରେ ଗୁଣପୁର ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ୱର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।