ପୁରା ଖବର ବିଷୟରେ



ନିୟମଗିରି ପାହାଡ଼ ହିଁ ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ।

Nov 3 2024 9:01AM
କଲ୍ୟାଣ ସିଂହପୁର ରୁ ପଦ୍ମନ ଭତ୍ରା ଙ୍କ ରିପୋର୍ଟ ) ରାଜା ରାଜୁଡା କାଳରୁ ନିୟମ ରାଜା ଭାବରେ ପାହାଡ଼କୁ ଭକ୍ତି ଓ ଉପାସନା କରିବା ସହ ଶହ ଶହ ବର୍ଷ ଧରି ସୁରକ୍ଷା ଦେଇ ଆସିଛନ୍ତି । ଏପରିକି ପାହାଡ଼ ପାଇଁ ଜୀବନ ଦେବାକୁ ବି ପଛାଉ ନାହାନ୍ତି ଏହି ଅନୁନ୍ନତ ଡ଼ଙ୍ଗରିଆ ଜନଜାତି। କିନ୍ତୁ ଭୋକର ଜ୍ବାଳା ଏବେ ସେମାନଙ୍କୁ ପାହାଡ଼ଠାରୁ ଦୂରେଇ ଦେଇଛି। ବଞ୍ଚିବା ପାଇଁ ଗାଁ ଛାଡ଼ିବା ସହ ଦାଦନ ଶ୍ରମିକ ସାଜିବାକୁ ବାଧ୍ୟ୍ୟ ହୋଇ ପଡିଛନ୍ତି। ବର୍ତ୍ତମାନ ର ସର୍ଭେ ରିପୋର୍ଟ ମଧ୍ୟ ଡଙ୍ଗରିଆଙ୍କ ଦୁର୍ବଳ ଆର୍ଥିକ ସ୍ଥିତିକୁ ଦର୍ଶାଉଛି। ରାୟଗଡ଼ା ଜିଲ୍ଲାର ତିନିଗୋଟି ବ୍ଲକ୍‌ର ୯୯ ଗାଁରେ ୧୦ହଜାରରୁ ଊର୍ଦ୍ଧ୍ବ ଡଙ୍ଗରିଆ କନ୍ଧ ବସବାସ କରୁଛନ୍ତି। ସେଥିରୁ ୪ ପ୍ରତିଶତ ଡଙ୍ଗରିଆଙ୍କ ମାସିକ ଆୟ ୧ ହଜାର ଟଙ୍କାରୁ ମଧ୍ୟ କମ। ସେହିପରି ୮୭ ପ୍ରତିଶତଙ୍କ ଆୟ ୧ ହଜାରରୁ ୫ ହଜାର ଟଙ୍କା ମଧ୍ୟରେ ରହିଛି। ମାତ୍ର ୭ପ୍ରତିଶତ ଲୋକଙ୍କ ଆୟ ୫ ରୁ ୧୦ ହଜାର ଏବଂ ମାତ୍ର ୧ ପ୍ରତିଶତ ଆଦିମ ଜନଜାତିଙ୍କ ଆୟ ମାସିକ ୧୦ ହଜାର ଟଙ୍କାରୁ ଅଧିକ।ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା,ବିଷମକଟକ ଏବଂ କଲ୍ୟାଣସିଂହପୁର ବ୍ଲକ୍‌ରେ ବସବାସ କରୁଛନ୍ତି ଡଙ୍ଗରିଆ କନ୍ଧ ପରିବାର । ପରିସ୍ଥିତିରେ ପଡ଼ି ଏହି ଜନଜାତି ଏବେ ଆନ୍ଧ୍ରର ବିଭିନ୍ନ ସୂତା କଂପାନି ଏବଂ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଛନ୍ତି। ସରକାରୀ ଯୋଜନାର ବିଫଳତା ଏବଂ ବ୍ୟାପକ ଦୁର୍ନୀତି ଡଙ୍ଗରିଆଙ୍କ ଆର୍ଥିକ, ସାମାଜିକ ତଥା ଶିକ୍ଷାର ବିକାଶରେ ପ୍ରତିବନ୍ଧକ ସାଜିଛି। ଯାହାଫଳରେ ଧାମଣପଙ୍ଗା,ଗୁଜ୍ଜାପାଇ,କେଶରପାଡ଼ି, ସେରକାପାଡ଼ି,ବାଟୁଡ଼ି,ଆମ୍ବଧୁନି,ପାରାମାଳି,କାଡ୍ରାକା ବଣ୍ଡେଲି ଗାଁର ବହୁ ଯୁବକ,ଯୁବତୀ ଦାଦନ ଶ୍ରମିକ ଭାବେ କଠିନ ପରିଶ୍ରମ କରିବାକୁ ବାଧ୍ୟ୍ୟ ହୋଇ ଗାଁ ଛାଡି ପୋଡ଼ସୀ ରାଜ୍ୟ କୁ ଯାଇଛନ୍ତି । କିନ୍ତୁ ପାରିଶ୍ରମିକ ର ଉଚିତ ମୂଲ୍ୟ ବଦଳରେ ନାନା ପ୍ରକାର ନିର୍ଯାତନା ସହ ପରିଶ୍ରମ ତୁଳନାରେ କମ ପାରିଶ୍ରମିକ ପାଉଛନ୍ତି। ବିଡ଼ମ୍ବନା ର ବିଷୟ ହେଲା ଶହ ଶହ ସଂଖ୍ୟାରେ ଡଙ୍ଗରିଆ କନ୍ଧ ଯୁବକ,ଯୁବତୀ ଦଲାଲଙ୍କ ପ୍ରଲୋଭନରେ ଗାଁ ଛାଡ଼ୁଥିଲେ ସୁଦ୍ଧା ଶ୍ରମ ବିଭାଗ ନିକଟରେ କୌଣସି ସୂଚନା ନାହିଁ। ଜିଲ୍ଲା ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜଙ୍କୁ ପଚାରିବାରୁ ଡଙ୍ଗରିଆ ଦାଦନ ଯାଇଥିବା ନେଇ ବିଭାଗ ପାଖରେ କୌଣସି ସୂଚନା ନଥିବା ସ୍ବୀକାର କରିଛନ୍ତି। ନିଜ ଇଚ୍ଛାରେ ସେମାନେ କାମ କରିବାକୁ ଯାଇଥିବା ପ୍ରକାଶ କରିଛନ୍ତି। ଏପଟେ ସରକାରଙ୍କ ତରଫରୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡି.କେ.ଡି.ଏ) ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ହେଲାଣି ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି। ସଂସ୍ଥା ଦ୍ବାରା ମୌଳିକ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିଲେ । କିନ୍ତ ଆଜି ପର୍ଯ୍ୟନ୍ତ ରାସ୍ତା ଘାଟ ନା ଅଛି ପ୍ରଚୁର ରୋଜଗାର ଅବା ମୌଳିକ ସୁବିଧା ସୁଯୋଗ | ବର୍ତ୍ତମାନର ବାସ୍ତବତା ଦେଖିଲେ ଶହ ଶହ କୋଟି ଟଙ୍କା କେବଳ ବିନର୍ବ୍ୟୟ ହିଁ ହୋଇଥିବା ସ୍ପଷ୍ଟ ହେଉଛି। ଉଦ୍‌ବେଗର ବିଷୟ ହେଲା ଜୈବିକ ତଥା ପାରମ୍ପରିକ ପଦ୍ଧତିରେ ଆଦିମ ଜନଜାତି ଚାଷ କରୁଥିଲେ ସୁଦ୍ଧା ଉତ୍ପାଦ ନିମନ୍ତେ ଉଚିତ ମୂଲ୍ୟ ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି । ପ୍ରଚୁର ପରିମାଣରେ ସପୁରି,ପଣସ,କମଳା,ହଳଦୀ,ଅଦା,କଦଳୀ ଓ ଆମ୍ବ ଭଳି ପୁଷ୍ଟିସାର ଜାତୀୟ ଫଳ ଉତ୍ପାଦନ ସତ୍ତ୍ବେ ଦଲାଲ ମାନେ ହିଁ ଏହାର ଦର ନିୟନ୍ତ୍ରଣ କରୁଛନ୍ତି। ବର୍ଷବର୍ଷ ଧରି ଶୋ‌ଷିତ ଏହି ଆଦିମ ଜନଜାତି ପରିବର୍ତ୍ତିତ ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିରେ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି। ବଞ୍ଚିବା ପାଇଁ ଯୁବକ,ଯୁବତୀ ବାଧ୍ୟ ହୋଇ ଦାଦନ ଖଟୁଥିବା ନେଇ ଡଙ୍ଗରିଆ ନେତା ଜିତେନ୍ଦ୍ର ଜାକାକା ( ଜିତୁ ଭାଇ ) ପ୍ରକାଶ କରିଛନ୍ତି। ରାୟଗଡ଼ା ଜିଲ୍ଲାର ୫୦୦ରୁ ଅଧିକ ଯୁବକଯୁବତୀ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ,କେରଳ ଆଦି ରାଜ୍ୟରେ ଦାଦନ ଖଟୁଛନ୍ତି । ଆମ ଡ଼ଙ୍ଗରିଆ କନ୍ଧ ଅଞ୍ଚଳରୁ ପ୍ରତିଟି ଗ୍ରାମରୁ ଅନ୍ୟୁନ ଜଣେ ନା ଜଣେ ଡଙ୍ଗରିଆ ଦାଦନ ଖଟୁଥିବା ଜିତୁ ଭାଇ ସୂଚନା ଦେଇଛନ୍ତି।