ପୁରା ଖବର ବିଷୟରେ



ଧାମନଗର ଏନ୍.ଏ.ସି ଅଧ୍ୟକ୍ଷାଙ୍କୁ ଅଶ୍ଳୀଳ ଭାଷା ସହିତ ମାଡ଼ ଅଭିଯୋଗ , ଥାନାରେ ଏତଲା

Oct 30 2024 8:00AM
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ଭଦ୍ରକ/ଧାମନଗର ତା ୨୯-୧୦-୨୦୨୪। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଧାମନଗର ଏନ୍.ଏ.ସି ର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ଜେନା ତାଙ୍କ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ସମୟରେ, ଧାମନଗର ଏନ୍.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାଏକ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବାତ୍ୟା "ଦାନା" କୁ କେନ୍ଦ୍ର କରି ଏପରି ଅଭାବନୀୟ ଘଟଣା ଘଟିଯାଇଛି ବୋଲି କୁହାଯାଇଛି। ବାତ୍ୟା "ଦାନା" ର ଭୟାବହତା କୁ ଆଖି ଆଗରେ ରଖି ସରକାର ଙ୍କ ତରଫରୁ ଲୋକମାନଙ୍କ ପାଇଁ କିଛି ସହାୟତା ଆସିଥିଲା। ଉକ୍ତ ସହାୟତା କୁ ଠିକ୍ ଭାବରେ ବିନିଯୋଗ କରି ନଥିବାରୁ ଲୋକମାନେ ଏନ୍.ଏ.ସି ଅଧ୍ୟକ୍ଷା ଙ୍କ ନିକଟରେ ଅଭିଯୋଗ କରିଥିଲେ। ତେଣୁ ଏନ୍.ଏ.ସି ଅଧ୍ୟକ୍ଷା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାଏକ ଙ୍କୁ ନିଜ ସରକାରୀ କାର୍ଯ୍ୟାଳୟ କୁ ଡକାଇ ସମସ୍ୟା ବିଷୟରେ ପଚାରି ବୁଝୁଥିଲେ। ଏହି ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ ନାଏକ ସମସ୍ୟା ର ସମାଧାନ କରିବା ପରିବର୍ତ୍ତେ ହଠାତ୍ ରାଗିଯାଇ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି, ଗୁଲଜ କରିବା ସହିତ ମାଡ଼ ମାରି ଥିବାର ସୂଚନା ହସ୍ତଗତ ହୋଇଛି। ଏହାର ସବିଶେଷ ଘଟଣା ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କୁ ଜଣାଇଛନ୍ତି ବୋଲି ଶ୍ରୀମତୀ ଜେନା ଦର୍ଶାଇଛନ୍ତି। ଅପରପକ୍ଷେ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାଏକ ମଧ୍ୟ ପାଲଟା ଅଭିଯୋଗ କରିଥିବାର ସୂଚନା ମିଳିଛି। ଏହି ପାଲଟା ଅଭିଯୋଗ ରେ ଶ୍ରୀଯୁକ୍ତ ସନ୍ତୋଷ ନାଏକ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଙ୍କ ସମେତ କ୍ଷେତ୍ରୀୟ ଜନ ପ୍ରତିନିଧି ଙ୍କୁ ଅଭିଯୋଗ କରିଥିବାର ସୂଚନା ମିଳିଛି।