ପୁରା ଖବର ବିଷୟରେ



ମାଥିଲିରେ ଚାକିରି ନାମରେ ଠକେଇ ମାମଲା: ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝି ଗିରଫ

Aug 31 2024 9:27PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ) ମାଲକାନଗିରି ଜିଲ୍ଲା ମାଥିଲି ବହୁ ଚର୍ଚ୍ଚିତ ଠକେଇ ମାମଲାରେ ଦ୍ଵିତୀୟ ଅଭିଯୁକ୍ତ ମାଥିଲି ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ନିଜ ପୈତୃକ ଘର ଜଗତସିଂପୁରରୁ ମାଥିଲି ପୁଲିସ ଦ୍ବାରା ଗିରଫ ହୋଇଛନ୍ତି।ଗତ ବିଜେଡି ସରକାର ଅମଳରେ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ପୂର୍ବରୁ ଠକ ରମେଶ କୁମାର ରାଉତ ଖୋର୍ଦ୍ଧା ଜିଲ୍ଲା ବାଳକାଟିରୁ ମାଥିଲି ପୁଲିସ ଦ୍ଵାରା ଗିରଫ ହୋଇସାରିଛନ୍ତି। ଏମାନଙ୍କ ମଧ୍ୟରୁ ଆଉ ଜଣେ ଅଭିଯୁକ୍ତ ଜୀବନ ସାହୁ ଫେରାର ଅଛନ୍ତି।ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝି ଗତ ନିର୍ବାଚନରେ ନିର୍ବାଚିତ ହେବା ପରଠାରୁ ମାଥିଲି ବ୍ଲକ ବିଜେଡିର ଅନ୍ୟ କୌଣସି ପଦପଦବୀରେ ଥିବା ନେତାମାନଙ୍କ ସହ ଭଲ ସମ୍ପର୍କ ନ ଥିଲା ବୋଲି ଏବେ ଚର୍ଚା ଜୋର ଧରିଛି। ତାଙ୍କ କାର୍ଯ୍ୟକଳାପକୁ ମଧ୍ୟ ଅନ୍ୟ ନେତାମାନେ ପସନ୍ଦ କରୁ ନ ଥିଲେ। ଉନ୍ନତିମୂଳକ କାମରେ ସେ ବାଧା ସୃଷ୍ଟି କରି ସରକାରୀ କର୍ମଚାରୀଙ୍କଠାରୁ ଅର୍ଥ ଆଦାୟ କରୁଥିବାର ମଧ୍ୟ ନଜିର ରହିଛି। ନିର୍ଦ୍ଦିଷ୍ଟ କିଛି ତାଙ୍କ ଅନୁଗତଙ୍କୁ କାମଗୁଡିକ ଦେବାପାଇଁ ଅଧିକାରୀମାନଙ୍କୁ ଡରାଇ ଧମକାଇ କାମ ହାସଲ କରୁଥିଲେ ବୋଲି ଅଭିଯୋଗ ହେଉଛି। ଯଦି କେହି ନ ଶୁଣନ୍ତି ବ୍ଲକରୁ ବଦଳି କରିଦେବି ବୋଲି ମଧ୍ୟ ଡରାଇ ଅର୍ଥ ଆଦାୟ କରୁଥିଲେ। ମୋର ତୃତୀୟ ମହଲାରେ ଥିବା ଅଧିକାରୀମାନଙ୍କ ସହ ଭଲ ସମ୍ପର୍କ ଅଛି। ବିଜେଡି ନେତା ତଥା ପୂର୍ବତନ ଆଇଏଏସ ଅଧିକାରୀ କାର୍ତ୍ତିକେନ ପାଣ୍ଡିଆନଙ୍କ ଶଳା ସହ ମୋର ଘନିଷ୍ଠ ସମ୍ପର୍କ ଅଛି କହି ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଞ୍ଚଳର ଅନେକ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇ ଯାଇଛନ୍ତି। ବିଜେଡି ସରକାରର ପତନ ପରେ ଟଙ୍କା ଦେଇଥିବା ଲୋକମାନେ ଆଉ ସେମାନଙ୍କ କାମ ହେବ ନାହଁ ଭାବି ଟଙ୍କା ଫେରାଇବା ପାଇଁ ବାରମ୍ବାର ତାଙ୍କୁ ଟଂକା ମାଗିଥିଲେ। ଟଙ୍କା ମାଗିଲେ ଡରାଇ ଧମକାଇ ଜୀବନରେ ମାରିଦେବି ବୋଲି ମଧ୍ୟ କହୁଥିବାରୁ ଲୋକମାନେ ବାଧ୍ୟ ହୋଇ ମାଥିଲି ଥାନାରେ ଅଭିଯୋଗ କରିଥିଲେ।ଜନୈକ ବ୍ୟବସାୟୀ କାର୍ତ୍ତିକ ରାୟଙ୍କ ଠାରୁ ଛବିଶ ଲକ୍ଷ କୋଡିଏ ହଜାର ଟଙ୍କା ଶ୍ରୀମତୀ ମାଝୀ ଠକି ନେଇଥିବାରୁ ସେ ମାଥିଲି ପୁଲିସର ଦ୍ଵାରସ୍ଥ ହୋଇଥିଲେ। ସେବେଠାରୁ ସେ ଫେରାର ହୋଇ ଯାଇଥିଲେ। ସେହି ଦିନ ଠାରୁ ମାଥିଲି ପୁଲିସ ତଦନ୍ତ ଜାରି ରଖିଥିଲା। ଶେଷରେ ଜଗତସିଂହପୁରରେ ଲୁଚି ରହିଥିବା ଜାଣିପାରି ମାଥିଲି ପୁଲିସ ଗତକାଲି ତାଙ୍କ ଘରୁ ଉଠାଇ ଆଣିଛନ୍ତି।ମାଥିଲିରେ ପହଞ୍ଚିବା ପରେ ପଚରାଉଚରା କରି ତାଂକୁ କୋର୍ଟ ଚାଲାଣ କରାଯିବ ବୋଲି ମାଥିଲି ପୁଲିସ ଦ୍ଵାରା ସୂଚନା ମିଳିଛି।