ପୁରା ଖବର ବିଷୟରେ



ବିଭିନ୍ନ ବିଭାଗର ମିଳିତ ଉଦ୍ୟମ ଓ ସହଯୋଗ ହିଁ ବାଲ୍ୟ ବିବାହ ରୋକିବା ପାଇଁ ସହାୟକ ହେବ : (ଅତିରିକ୍ତ ଜିଲ୍ଲାପାଳ )

Jul 7 2023 6:35PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା କର୍ମ ନିଯୋଜନ ଅଧିକାରୀ ଓ ଓରମାସଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବା ଗ୍ରାମ ସ୍ତରରେ ଗାଁ କଲ୍ୟାଣ ସମିତି ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିଷେଧର ଦାୟିତ୍ଵ ନେବେ ରାୟଗଡ଼ ଜିଲ୍ଲାରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମର ଶୁଭରମ୍ଭ ହେଲା ରାୟଗଡା ତା ୦୭ / ୦୭ / ୨୦୨୩ : ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ “ପ୍ରଚେଷ୍ଟା” ମାଧ୍ୟମରେ ତ୍ରୟ ମାସିକ ସମୀକ୍ଷା ବୈଠକ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା କମିଟି ସମୂହ ଯଥା ଜିଲ୍ଲା ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ ଏବଂ ଶିଶୁ ଶ୍ରମିକ ନିରାକରଣ କମିଟିର ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ । ଏହି ମିଳିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ନିଜ ଅଭିଭାଷଣରେ କହିଥିଲେ ଯେ, ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ଵୟ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ରାୟଗଡା ଜିଲ୍ଲାକୁ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବାର ଆବଶ୍ୟକତା ରହିଛି । ସେ କିଶୋର କିଶୋରୀ ମାନଙ୍କ ନିମନ୍ତେ ଶିକ୍ଷା ନିଶ୍ଚିତ କରାଇବା ସହିତ ସେମାନଙ୍କୁ ଗୋଟିଏ ଗୋଟିଏ କୁଶଳୀ ମଣିଷ ଭାବେ ଗଢି ତୋଳିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଇବା ସହିତ ଶିଶୁ ମିତ୍ର ଜିଲ୍ଲା ଗଠନ ନିମନ୍ତ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହ ରୋକିବା ସମୟରେ କଣ ସବୁ ଅସୁବିଧା ରହୁଛି ସେହି ବିଷୟରେ ଆଲୋଚନା କରା ଯିବା ସହିତ ଜିଲ୍ଲାରେ ଉଦୁଲିଆ ଭଳି ପ୍ରଥା ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମ ସହିତ ଜିଲ୍ଲାରେ ପ୍ରଥମ କରି ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଓ ଶ୍ରୀ ଧର୍ମାନନ୍ଦ ବେହେରା ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ଗତ ମାଟ୍ରିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ବିଭିନ୍ନ ବିଭାଗରେ ଜିଲ୍ଲାରେ ସର୍ବୋଚ୍ଚ ମର୍କ ରଖିଥିବା ପ୍ରଥମ ପାଞ୍ଚ ଜଣ ହିସାବରେ ମୋଟ ୨୧ ଜଣ ଝିଅଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା କରଯାଇଥିଲା । ପୂର୍ବତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏହି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇ ଗତ ୩ ମାସ ମଧ୍ୟରେ ଜିଲ୍ଲାରେ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମ ସ୍ତରରେ ବିଭନ୍ନ ବିଭାଗ ମାନଙ୍କ ଦ୍ଵାରା ନିଆଯାଇଥିବା କାର୍ଯ୍ୟ ଗୁଡିକ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ତତ୍ତ୍ବମସି ମହାପାତ୍ର କହିଥିଲେ ଯେ ଯଦି କୌଣସି କିଶୋର ବା କିଶୋରୀ ଅତିକମରେ ୧୮ ବର୍ଷ ପୂରଣ କରିଥିବେ ଓ ଅତିକମରେ ୫ମ ଶ୍ରେଣୀ ପାଠ ପଢିଥିବେ ସେହିଭଳି କିଶୋର କିଶୋରୀ ମାନଙ୍କ ତାଲିକା ପ୍ରସ୍ତୁତ କରି ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟଳୟକୁ ପଠାଇବେ ତେବେ ସେମାନଙ୍କୁ ବିଭିନ୍ନ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ସାମିଲ କରି ପାରିବା । ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଜଶ୍ମିନୀ ସାହୁ ଶିଶୁ ଶ୍ରମ ବିଲୋପ ଜିଲ୍ଲା ଟାସ୍କଫୋର୍ସର ଆବଶ୍ୟକତା ଏବଂ ଏଥିରେ ବିଭିନ୍ନ ସଭ୍ୟ ସଭ୍ୟାଙ୍କ ଭାଗୀଦାରୀତା ବିଷୟରେ ଆଲୋକପାତ କରିଥିଲେ । ପ୍ରକାଶ ଥାଉ କି ଯେ, ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଓ ଶିଶୁ ମାନଙ୍କ ନିମନ୍ତେ ନିରାପଦ ଓ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ , ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ, ବିଭିନ୍ନ ଅନୁଷ୍ଠାନ ମାନଙ୍କରେ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଗାଁ କଲ୍ୟାଣ ସମିତିକୁ ଗ୍ରାମ୍ୟ ଶିଶୁ ସୁରକ୍ଷା ଓ ମଙ୍ଗଳ କମିଟି ଭାବେ ଶିଶୁ ସୁରକ୍ଷା ବିଷୟରେ ଗୁରୁତ୍ଵ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବିଷୟରେ ଆଲୋଚନା କରଯାଇଥିଲା । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ମମତା ଚୌଧୁରୀ ଶ୍ରଦ୍ଧା କ୍ଲିନିକ, କିଶୋରୀ ସ୍ୱାସ୍ଥ୍ୟ ଓ ଗର୍ଭ ପଞ୍ଜୀକରଣ ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ । ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ବୈଠକକୁ ସମସ୍ତଙ୍କୁ ସ୍ଵାଗତ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ପି ଏ ଆଟି ଡି ଏ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୁମାରୀ ବିଚିତ୍ରା ସେଠୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ବିଦୁଲତା ହୁଇକା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ଅରୁଣା ସଂଗଠନର ଜିଲ୍ଲା ପରାମର୍ଶଦାତା ପ୍ରମୋଦ କୁମାର ନାୟକ, ଡି କେ ଡିଏ ଓ ଏଲ ଏସ ଡି ଏର ଅଧିକାରୀ, ଜିଲ୍ଲାର ସମସ୍ତ ବାଲ୍ୟବିବାହ ନିଷେଧ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ,ମଙ୍ଗରାଜ, ଜିଲ୍ଲା ପଂଚାୟତ ଅଧିକାରୀ ସାକିଲା ଚରଣ ବାସ୍କେ, ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରତିନିଧି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିରୁ ଅଣ ଆନୁଷ୍ଠାନିଳ ଯତ୍ନ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରତାପ କୁମାର ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଶିକ୍ଷା ବିଭାଗ, ଓ ଏଲ ଏମ, ଶ୍ରମ ବିଭାଗ, ମଙ୍ଗଳ ବିଭାଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।