ପୁରା ଖବର ବିଷୟରେ



ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସମାଜସେବୀଙ୍କ ମୃତ୍ୟୁ

May 16 2023 5:27AM
ରାୟଗଡ଼ା ଜିଲ୍ଲା ଗୁଣପୁର ସହରରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅଜଣା ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡ଼ରେ ବଂଶଧାରା ନଦୀ ପୋଲରେ ଆଶା ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର (ବୟସ ୫୫)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ଧକାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। କେଉଁ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଦୁର୍ବୃତ୍ତ ଘଟାଇଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ସୂଚନାରୁ ପ୍ରକାଶଯେ ଗୌରୀ ମିଶ୍ର ନିୟମିତ ଭାବେ ବନ୍ଧୁ ସତ୍ୟ ଶତପଥୀ, ଅଶୋକ ରଥ ଓ ଅକ୍ଷୟ ଦାଶଙ୍କ ସହ ବଂଶଧାରା ପୋଲକୁ ରାତିରେ ବୁଲିବାକୁ ଯାଉଥିଲେ। ହତ୍ଯା ଦିନ ମଧ୍ୟ କିଛି ସମୟ ବନ୍ଧୁଙ୍କ ସହ ପୋଲରେ ବିତାଇବା ପରେ ଘରକୁ ବାହାରୁଥିବା ବେଳେ ବନ୍ଧୁମାନେ ବାଇକ୍‌ରେ କିଛି ବାଟ ଆଗକୁ ଚାଲି ଆସିଥିବା ବେଳେ ଗୌରୀ ଏକୁଟିଆ ଥିଲେ। ଏହି ସମୟରେ ୨ ରୁ ୩ଜଣ ଅଜଣା ଦୁର୍ବୃତ୍ତ ବାଇକ୍‌ ନେଇ ସେଠାରେ ପହଞ୍ଚିଥିଲେ। ହଠାତ୍‌ ଜଣେ ଦୁର୍ବୃତ୍ତ ବାଇକ୍‌ରୁ ଓହ୍ଲାଇ ଚାଲିଚାଲି ଗୌରୀଙ୍କ ନିକଟରେ ପହଞ୍ଚି ମୁହଁକୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ଫୁଟାଇ ସେଠାରୁ ଦୌଡ଼ିଥିଲା। ପୂର୍ବରୁ ବାଇକ୍‌ ଷ୍ଟାଟ୍‌ କରି ଅନ୍ୟ ଜଣେ ଦୁର୍ବୃତ୍ତ ରହିଥିବାରୁ ବାଇକ୍‌ରେ ବସି ସେଠାରୁ ଫେରାର ହୋଇଯାଇଥିଲା। ଗୁଳି ଫୁଟିବା ଶୁଣି ଗୌରୀଙ୍କ ବନ୍ଧୁମାନେ ପଛକୁ ଫେରିଥିଲେ। ତଳେ ପଡ଼ିଥିବା ଗୌରୀଙ୍କୁ ଉଠାବିକାକୁ ଚେଷ୍ଟା କରିବା ସହ ପୁଲିସକୁ ମଧ୍ୟ ଯୋଗାଯୋଗ କରିଥିଲେ। ଗୁଣପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗୌରୀଙ୍କୁ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲା। କିନ୍ତୁ ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ। ଥାନା ଅଧିକାରୀ ନୀଳାମ୍ବର ଜାନୀଙ୍କ ସମେତ ପୁଲିସ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏ ପର୍ଯ୍ୟନ୍ତ ଗୁଳିମାଡ କରିଥିବା ଦୁର୍ବୃତ୍ତ ଧରାପଡିନଥିବା ସୂଚନା ମିଳିଛି ।