ପୁରା ଖବର ବିଷୟରେ



ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ

May 7 2023 7:18AM
(ବ୍ୟୁରୋ ରିପୋର୍ଟ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟରେ ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକ ନିଯୁକ୍ତିକୁ ଗ୍ରାମବାସୀ ତଥା ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭ୍ୟାସଭ୍ୟ ବିରୋଧ କରିଥିବା ସୂଚନା ମିଳିଛି । ସୂଚନା ରୁ ପ୍ରକାଶ ଯେ କୋଇଲଖା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କନକ ମୁଣ୍ଡା ପଦୋନ୍ନତି ପାଇ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ଯୋଗଦେବା ପାଇଁ ନିଯୁକ୍ତି ପତ୍ର ପାଇଛନ୍ତି। ହେଲେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ବିଦ୍ୟାଳୟରେ ୫ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଥିବା ବେଳେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ ହେଉଥିବା ଦର୍ଶାଇ ଏହି ନିଯୁକ୍ତିକୁ ଗ୍ରାମବାସୀ ବିରୋଧ କରିଥିବା କହିଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ଏକ ଦାବିପତ୍ର ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୩ ତାରିଖରେ ପ୍ରଦାନ କରିଥିଲେ। ହେଲେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଣୟ ନାୟକ ଶନିବାର ସମ୍ପୃକ୍ତା ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଭାବେ ଯୋଗଦାନ କରାଇବାକୁ ମଠଡିହ କ୍ଲଷ୍ଟର ସିଆର୍‌ସିସି ନିକୁଞ୍ଜ ବିହାରୀ କରଙ୍କୁ ପଠାଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ବିଦ୍ୟାଳୟ ଫାଟକରେ ତାଲା ପକାଇ ସିଆର୍‌ସିସିଙ୍କୁ ପ୍ରବେଶ କରିବାକୁ ଦେଇ ନ ଥିଲେ। ଏହାର ପୁନର୍ବିଚାର କରିବାକୁ ସିଆର୍‌ସିସିଙ୍କ ମାଧ୍ୟମରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।