ପୁରା ଖବର ବିଷୟରେ



ପାଇଥିବା ଅଳଙ୍କାର ଏବଂ ଟଙ୍କା ଫେରାଇଲେ ମହାନତାର ପରିଚୟ ଦେଲେ ଯୁବକ

Apr 22 2023 7:05AM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) ଭଦ୍ରକ/ଧାମନଗର : ବାଟରୁ ପାଇଥିବା ସୁନା ରୁପା ଅଳଙ୍କାର ଏବଂ ଟଙ୍କା ଫେରାଇ ମହାନତା ଦେଖାଇଛନ୍ତି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ପାହାଡ଼ପୁର ଅଞ୍ଚଳର ଯୁବକ ସରୋଜ କୁମାର ଖୁଣ୍ଟିଆ। ସରୋଜ ଗତ ୧୫ ତାରିଖରେ ବାଇକ୍‌ରେ ଭୁବନେଶ୍ୱର ଯାଉଥିଲେ। ଯାଜପୁର ଜିଲାର ଛତିଆ ପରେ ୧୬ ନଂ. ଜାତୀୟ ରାଜପଥ ପାଶର୍‌ବ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଗୋଟିଏ କଳା ବ୍ୟାଗ୍‌ ରାସ୍ତା ଉପରେ ପଡ଼ିଥିବା ଦେଖି ଉଠାଇ ନେଇଥିଲେ। କଟକ ସିଡିଏ ୧୧ସ୍ଥିତ ତାଙ୍କ ବାସଭବନରେ ବ୍ୟାଗ୍‌କୁ ଖୋଲି ସେଥିରେ ଥିବା ଅଳଙ୍କାର ଓ କାଗଜପତ୍ରର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସୋସିଆଲ ମିଡିଆରେ ବହୁଳ ପ୍ରଚାର ପ୍ରସାର ପରେ ବ୍ୟାଗ୍‌ ହଜାଇଥିବା ଦମ୍ପତି ଯାଜପୁର ଜିଲା ଦଶରଥପୁର ବ୍ଲକ ଅଳକୁଣ୍ଡ ନିକଟ ନୂଆଗାଁର ଗେଲୁ ପଲେଇ ଓ କେଳୁ ପଲେଇ ତାଙ୍କ ସହ ଯୋଗାଯୋଗ କରିଥିଲେ। କେଳୁ ଭୁବନେଶ୍ୱରରୁ ନିଜ ଘରକୁ ଫେରୁଥିବା ବେଳେ ଛତିଆ ପରେ ପରେ ତାଙ୍କ ବ୍ୟାଗ୍‌ ଖସିପଡ଼ିଥିଲା। ସରୋଜଙ୍କ ସହ ଯୋଗାଯୋଗ କରି ଗୁରୁବାର ଏହି ଦମ୍ପତି କର୍ମକ୍ଷେତ୍ର ଭୁବନେଶ୍ୱରରୁ ଆସି କଟକ ସିଡିଏ କଲୋନୀରେ ପହଞ୍ଚି ନିଜର ପ୍ରମାଣପତ୍ର ଦେଖାଇ ଅଳଙ୍କାର , ଟଙ୍କା ଓ କାଗଜପତ୍ର ସରୋଜଙ୍କଠାରୁ ନେଇଥିଲେ । ଏଥିପାଇଁ ସେମାନେ ସରୋଜଙ୍କୁ କୃତଜ୍ଞତା ଜଣାଇଥିଲେ। ସରୋଜଙ୍କ ମହାନତା ଓ ମାନବିକତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।