ପୁରା ଖବର ବିଷୟରେ



କୋଣାର୍କ ଏକ୍ସପ୍ରେସ୍‌ରେ ବୋମା ଫୁଟିଲା ୨୩ ବୋମା ଜବତ, ଭୁବନେଶ୍ବର ଷ୍ଟେସନ୍‌ରେ ହାଇଆଲର୍ଟ

Apr 15 2023 11:38AM
ଭୁବନେଶ୍ବର ରେଳଷ୍ଟେସନ ୨ ନମ୍ବର ପ୍ଲାଟ୍‌ଫର୍ମରେ ଅଟକିଥିବା କୋଣାର୍କ ଏକ୍ସପ୍ରେସ୍‌ରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ସୌଭାଗ୍ୟକୁ ସେତେବେଳେ ଟ୍ରେନ୍‌ରେ କେହି ଯାତ୍ରୀ ନଥିବା ବେଳେ ବୋମାଟି ଶକ୍ତିଶାଳୀ ନଥିବାରୁ କୌଣସି ପ୍ରକାର ବଡ଼ଧରଣର ଅଘଟଣ ଘଟି ନଥିବା ସୂଚନା ମିଳିଛି ।ଏମିତିକି ଟ୍ରେନ୍‌ର ଉକ୍ତ ବଗିରେ ବି ଅଗ୍ନିକାଣ୍ଡ ଘଟି ନଥିଲା। ତେବେ ଟ୍ରେନ୍‌ରେ ସଫେଇ କରୁଥିବା କର୍ମଚାରୀମାନେ ବୋମା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ଓ ଯୋର ଧୂଆଁ ଦେଖି ଭୟଭୀତ ହୋଇପଡ଼ିଥିଲେ। ଷ୍ଟେସନରେ ଭୟର ବାତାବରଣ ଖେଳି ଯାଇଥିଲା। ସଙ୍ଗେସଙ୍ଗେ ଜିଆର୍‌ପି ଓ ଆର୍‌ପିଏଫ୍‌ ଟିମ୍‌ ଟ୍ରେନ୍‌କୁ ଘେରି ଯାଇ ଯାଞ୍ଚ କରିଥିଲେ ଏବଂ ୨ଟି ବଗିରୁ ୨୩ଟି ବୋମା ଜବତ କରିଥିଲେ। ବୋମାଗୁଡ଼ିକ ପୁଲିସ ନିଜ ହେପାଜତକୁ ନେବା ପରେ ଷ୍ଟେସନରେ ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ। ତେବେ ଏହି ବୋମା ସବୁ କୋଣାର୍କ ଏକ୍ସପ୍ରେସ୍‌କୁ କିଭଳି ଆସିଲା, କିଏ କେଉଁ ଉଦ୍ଦେଶ୍ୟରେ ସେସବୁକୁ ଟ୍ରେନ୍‌ରେ ଛାଡ଼ି ଦେଇଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ଏନେଇ ଆର୍‌ପିଏଫ୍‌ ଓ ଜିଆର୍‌ପି ପୁଲିସ ତନାଘନା ଜାରି ରଖିଛି। ଟ୍ରେନ୍‌ର ସିସିଟିଭି ଓ ପ୍ଲାର୍ଟଫର୍ମରେ ଥିବା ସିସିଟିଭି ଯାଞ୍ଚ କରାଯାଉଛି। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଦିନ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚିବା ପରେ ସେଗୁଡ଼ିକର ଯାଞ୍ଚ କରାଯିବା ସହ ନିଷ୍କ୍ରିୟ କରାଯିବ ବୋଲି ଜଣେ ଆର୍‌ପିଏଫ୍‌ ଅଧିକାରୀ କହିଛନ୍ତି। ଗତକାଲି ରାତିରୁ ଷ୍ଟେସନରେ ହାଇ ଆଲର୍ଟ ଜାରି କରାଯାଇଛି।