ପୁରା ଖବର ବିଷୟରେ



ଜିଲ୍ଲା ସାମ୍ୱାଦିକ ସଙ୍ଘର ନୂତନ କମିଟି ଗଠନ ଓ ବନ୍ଧୁମିଳନ

Dec 29 2022 11:11AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲାର ଜିଲ୍ଲା ସାମ୍ୱାଦିକ ସଙ୍ଘର ଆଜି ବନ୍ଧୁମିଳନ ତଥା ନୂତନ କମିଟି ଗଠନ କାର୍ଯ୍ୟକ୍ରମ ସ୍ଥାନୀୟ ଭାକୁରଗୁଡା ଉଦ୍ୟାନ ବିଭାଗର ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ୨୦୧୯ ଠାରୁ କୋରୋନା କଟକଣା ଯୋଗୁଁ ସଙ୍ଘ କୌଣସି କାର୍ଯ୍ୟକ୍ରମ କିମ୍ବା ବୈଠକର ଆୟୋଜନ ହୋଇନଥିଲା । ଦୀର୍ଘ ୩ବର୍ଷ ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ଦିବଙ୍ଗତ ସାମ୍ବାଦିକ ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଅଧୁନା ସଭାପତି ଅଜୟ ରଥ ଉପସ୍ଥିତ ସଦସ୍ୟଙ୍କୁ ସ୍ୱାଗତ କରିବା ପରେ ବୈଠକକୁ ସଙ୍ଘର ଉପଦେଷ୍ଟା ତଥା ପ୍ରତିଷ୍ଠାତା ଡଃ ବାଦଲ ତା ପରିଚାଳନା କରିଥିଲେ । ବର୍ତମାନ କମିଟିର କାର୍ଯ୍ୟକାଳ ସରିଥିବାରୁ ଉପସ୍ଥିତ ସଦସ୍ୟଙ୍କ ମତ ଗ୍ରହଣ ପରେ ନୂତନ କମିଟି ଚୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ନୂତନ କମିଟିରେ ସଭାପତି ଭାବେ ସର୍ବସମ୍ମତିକ୍ରମେ ବାଦଲ କୁମାର ତା, ଉପ-ସଭାପତି ଭାବେ ସୁରେଶ ମିଶ୍ର ଓ ଅନିଲ ସାହୁକାର, ସାଧାରଣ ସମ୍ପାଦକ ଭାବେ ରବୀନ୍ଦ୍ର ପାଟଖଣ୍ଡାଳ, ସମ୍ପାଦକ ଭାବେ ଉମାକାନ୍ତ ନିମାଲପୁରୀ ଏବଂ ରମାକାନ୍ତ ପାତ୍ର, କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ପାଳ ଓ ଉପଦେଷ୍ଟା ଭାବେ କିର୍ତ୍ତି ଚନ୍ଦ୍ର ସାହୁ ଏବଂ ବିଜୟ ମିଶ୍ରଙ୍କୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୧ଟି ବ୍ଲକରୁ ୮୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ପୂର୍ବତନ ସଭାପତି ଅଜୟ ରଥ ସୁଚାରୁ ରୂପେ ସମସ୍ତ ଦାୟୀତ୍ବ ନିର୍ବାହ କରିଥିବା ବେଳେ ସଭାପତି ଡଃ ତା ତାଙ୍କ ବକ୍ତବ୍ୟରେ ସଂଘ ସାମୁହିକ ସହଯୋଗରେ ବ୍ୟବହାର ହେବା ଆବଶ୍ୟକ ଯାହାକି ଜିଲା ସାମ୍ବାଦିକ ସଙ୍ଘ ଆବିର୍ଭାବ ହେବାଠାରୁ ଦୀର୍ଘ ବର୍ଷ ଧରି ତାହା ତୁଲାଇ ଆସିଛି । ଜିଲ୍ଲା ସାମ୍ବାଦିକ ସଂଘର ଏଭଳି ଚିନ୍ତା ଧାରାକୁ ନେଇ ଜିଲାର ସମସ୍ତ ବ୍ଲକ ପ୍ରତିନିଧିମାନେ ଆକୃଷ୍ଟ ହୋଇ ସଂଘରେ ସାମିଲ ହୁଅନ୍ତି । ଆଗାମୀ ଦିନରେ ମଧ୍ୟ ସଙ୍ଘ ସଦସ୍ୟ ମାନଙ୍କ ସାମୁହିକ ସହଯୋଗରେ ଜିଲ୍ଲାର ପ୍ରତ୍ୟେକ ଉନ୍ନତି କ୍ଷତ୍ରରେ ନିଜର ଦାୟିତ୍ୱ ବହନ କରିବ । ଏହିଭଳି ସମସ୍ତଙ୍କ ଦାୟିତ୍ଵବୋଧ ରହିଲେ ସଂଘ ନିଶ୍ଚିତ ଆଗକୁ ବଢିବ ବୋଲି କହିଛନ୍ତି । ରାଜ୍ୟ ସ୍ତରର ସଂଘ ନୁହେଁ ବରଂ ଜିଲ୍ଲା ସ୍ତରର ସଂଘ ଗୁଡ଼ିକୁ ସଜାଡି ଜିଲ୍ଲାର ବୃହତ୍ତର ସମସ୍ୟାର ସମାଧାନରେ ବ୍ରତୀ ହେବାକୁ ମତ ପ୍ରକାଶ ପାଇଥିଲା । ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ଭୀମସେନ ଶବର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ବିଦୁଲତା ହୁଇକା, ଉତ୍କଳ ଆଲୁମିନା କମ୍ପାନୀର ସି ଏସ ଆର୍ ମୁଖ୍ୟ ଲୋପାମୁଦ୍ରା ପ୍ରିୟଦର୍ଶିନୀ ଏବଂ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଡ଼ମ୍ବୁରୁଧର ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଗଣମାଧ୍ୟମର ନେତୃବୃନ୍ଦ ପ୍ରମୁଖ ଯୋଗଦେଇଥିଲେ । ପ୍ରସାଦ ଲିମା ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସାଙ୍ଗ କରାଯାଇଥିଲା ।