ପୁରା ଖବର ବିଷୟରେ



ସଚେତନତା ହିଁ ଏକମାତ୍ର ଶିଶୁର ଶିକ୍ଷା ଓ ବାଲ୍ୟବିବାହ ରୋକିବାକୁ ସହାୟକ ହୋଇପାରିବ

Sep 8 2022 11:42PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ବାଲ୍ୟବିବାହ ନିଷେଧ , ଶିଶୁ ସହ ଅପରାଧ , ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ରହିଛି । ଏହା ଦ୍ଵାରା ଶିଶୁ ମାନେ ନିଜ ମୌଳିକତା ହରାଉଛନ୍ତି । ପିତାମାତା ମାନେ ପରମ୍ପରା ନାମରେ ନାବାଳିକା ମାନଙ୍କୁ କମ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେଉଛନ୍ତି । ପାଠ ପଢିବା ବୟସରେ ଘରସଂସାରରେ ଛନ୍ଦି ହୋଇ, ନିଜ ଅଧିକାରରୁ ବଞ୍ଚିତ ହେବା ସହିତ ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ଵ ଲାଭ କରୁଛନ୍ତି । ଫଳରେ ମାତ୍ରୁ ମ୍ରୁତ୍ୟୁ ଓ ଶିଶୁ ମ୍ରୁତ୍ୟୁ ଭଳି ଘଟଣା ମାନ ଘଟୁଛି।ସମାଜରେ ଚାଲିଥିବା ମହିଳା ହିଂସାକୁ ରୋକିବା ଓ ଶିଶୁଙ୍କ ସୁରକ୍ଷା , ଅଧିକାର ଏବଂ ଶିକ୍ଷା ଦିଗରେ ବ୍ୟାପକ ସଚେତନତା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଲକ୍ଷ୍ଯ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି । ସମଗ୍ର ରାୟଗଡ଼ା ଜିଲ୍ଲାକୁ ୨୦୩୦ ମସିହା ସୁଧା ବାଲ୍ୟବିବାହ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ଶିଶୁ ସୁରକ୍ଷା ୟୁନିଟି , ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଇବା ନିମନ୍ତେ ପ୍ରୟାସ ଜାରି ରହିଛି । ଯେଉଁ ସବୁ ଗ୍ରାମ ଗୁଡିକରେ ସଚେତନ ରଥ ପହଞ୍ଚିବ ସେଠାରେ ଆଶା କର୍ମୀ ,ସ୍ଵୟଂସହାୟକ ଦଳର ସଭ୍ୟା ,ନିର୍ବାଚିତ ପଞ୍ଚାୟତ ପ୍ରତିନିଧି , ସମସ୍ତ ଜାତିସମାଜ ମୁଖ୍ଯ , କିଶୋରୀ ବାଳିକା ଓ ଗ୍ରାମର ଅନ୍ୟ ବ୍ୟକ୍ତି ମାନଙ୍କୁ ନେଇ ଅଙ୍ଗନବାଡି କର୍ମୀ ମାନେ ଏକ ସାଧାରଣ ସଚେତନ ବୈଠକ କରାଇବା ସହିତ ‘’ ବାଲ୍ୟ ବିବାହକୁ ନା କହିବା – ସ୍କୁଲ ଯିବାକୁ ହଁ କହିବା “ ଉପରେ ସାମୁହିକ ଶପଥ କରାଇବେ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦେଶ ଦିଆ ଯାଇ ଥିବାର ବିଷୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କାର୍ଯ୍ୟ।ଳୟ ପରିସର ମଧ୍ୟରେ ହୋଇ ଥିବା ଏହି ସଚେତନତା ରଥର ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ, ଓରମାସ୍ ର ଡେପୁଟି ସିଇଓ ମନୋଜ ପାତ୍ର,ଜିଲ୍ଲା କ୍ରିଡା ଅଧିକାରୀ, ସମାଜ ମଙ୍ଗଳ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ତଥା ସୁରକ୍ଷା ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢ଼ୀ,ଆକ୍ସନଏଡ ର ଜିଲ୍ଲା ବାଲ୍ଯ ବିବାହ ନିଷେଧ ପରାମର୍ଶଦାତା ରତ୍ନେଶ୍ବର ସାହୁ, ସିଡିପିଓ ମିନାକ୍ଷୀ ଦାସ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାଗଣଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।