ପୁରା ଖବର ବିଷୟରେ



ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜରେ ବ୍ୟାପକ କ୍ଷୟକ୍ଷତି ଓ କାନ୍ଥ ପଡି ୬ଜଣଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

Aug 25 2022 7:26AM
(ରାଜିବ ବେହେରାଙ୍କ ରିପୋର୍ଟ ) ମୟୁରଭଞ୍ଜ ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଓ କାନ୍ଥ ପଡି ୬ଜଣଙ୍କର ମୃତ୍ୟୁ ହେବାପରି ଏହି ଆକସ୍ମିକ ଘଟଣା ପାଇଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ଦାୟୀ ବୋଲି ବିଜେପି ନେତୃବୃନ୍ଦ ମାନେ ମତ ରଖିବା ସହ ରାଜ୍ୟସରକାରଙ୍କ ଉପରେ ବର୍ଷି ଥିଲେ । ରାଜ୍ୟସରକାରଙ୍କ ସଠିକ୍ ପ୍ରସ୍ତୁତି ଅଭାବ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ଜଣ ନାବାଳକ ଓ ନାବଳିକାଙ୍କ ସହ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ଘୋର ନିନ୍ଦା କରିବା ସହିତ ଏଥିରେ ସମ୍ପୂର୍ଣ୍ଣ ଭାବରେ ରାଜ୍ୟସରକାର ଦାୟୀ ବୋଲି ମତ ରଖିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଜାଗା ମିଶନ୍ ଫେଲ ମାରିଛି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଲ୍ଲାରେ ଏକଲକ୍ଷ ୪୭ହଜାର ଜଣଙ୍କୁ ଗୃହ ମିଳିଥିବାବେଳେ ସଠିକ୍ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହୋଇଛନ୍ତି, ଫଳରେ ଏଭଳି ଅଘଟଣ ଘଟିଛି । ତେଣୁ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଘର ବଣ୍ଟନ କରିବାକୁ ବିଜେପି ପକ୍ଷରୁ ଦାବି କରିବା ସହ ଜିଲ୍ଲାପ୍ରଶାସନ ଅଧିକାରୀମାନେ ଅର୍ଥ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏପରିକି ଦେଓ ଇରିଗେସନ୍ ପ୍ରୋଜେକ୍ଟର ସଠିକ୍ କାର୍ଯ୍ୟକାରୀ ଅଭାବରୁ ପାଟୁଡି ଗ୍ରାମର ଲୋକେ ୫ଦିନ ଧରି ଜଳବନ୍ଦୀରେ ରହିଥିଲେ ଓ ବାଙ୍କବାହାଳ ଡ୍ୟାମ୍‌ର ଭୋଳାଗଡା ଗ୍ରାମର ମଧ୍ୟ ଲୋକେ ଜଳବନ୍ଦୀରେ ରହିଥିଲେ । ପାଣିପାଗର ପୂର୍ବାନୁମାନ ସର୍ତ୍ତେ ଲଗାଣ ବର୍ଷା ପାଇଁ ଜିଲ୍ଲାପ୍ରଶାସନର ସଠିକ୍ ପ୍ରସ୍ତୁତି ନଥିବା ଯୋଗୁଁ ଏଭଳି ଘଟଣା ଘଟିଗଲା । ତେଣୁ ଶିଶୁ ହତ୍ୟାକାରୀ ଏହି ରାଜ୍ୟସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ୩୦୭ରେ କେସ୍ ରୁଜୁ କରିବା ପାଇଁ ବିଜେପି ପକ୍ଷରୁ ନିଷ୍ପତ୍ତି ହୋଇଥିବା ସମ୍ବନ୍ଧରେ ସୂଚନା ଦିଆଯାଇଥିଲା । ଆଗାମୀ ଦିନରେ ଏହି ଘଟଣାକୁ ରାଜ୍ୟସରକାରଙ୍କ ବିରୋଧରେ ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍‌ଙ୍କ ସଭାପତିତ୍ୱରେ ବିଜେପିର ରାଜ୍ୟ ଉପସଭାପତି ତଥା ଉଦଳା ବିଧାୟକ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ୍‌, ବିଜେପି ରାଜ୍ୟ ସହରାଞ୍ଚଳ କମିଟି ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପୂର୍ବତନ ଜିଲ୍ଲା ସଭାପତି ନିହାର ମୋଦି ପ୍ରମୁଖ ଉପସ୍ଥିତ ଥିଲେ ।