ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ଦୁଇ ଦିନିଆ ଗସ୍ତରେ କେନ୍ଦ୍ରୀୟ ଆକାଂକ୍ଷା ଜିଲ୍ଲା ପ୍ରଭାରୀ ଓ ଭୂତଳ ଜଳ ବୋର୍ଡର ବୈଜ୍ଞାନିକ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ।

Aug 5 2022 10:10AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦୁଇ ଦିନିଆ ଗସ୍ତରେ କେନ୍ଦ୍ରୀୟ ଆକାଂକ୍ଷା ଜିଲ୍ଲା ପ୍ରଭାରୀ (ଆଇ.ଏ.ଏସ.) ଶ୍ରୀ ଜି.ଶ୍ରୀନିଭାସ ଓ ଭୂତଳ ଜଳ ବୋର୍ଡର ବୈଜ୍ଞାନିକ ଶ୍ରୀ ଆର.କେ.ବର୍ମା ଆସି ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଉଭୟ ଅଧିକାରୀ ପ୍ରଥମ ଦିନ ଜିଲ୍ଲାର କୋଲନରା ବ୍ଳକ ଅନ୍ତର୍ଗତ ଥେରୁବାଲି ଦକ୍ଷତା ବିକାଶ କେନ୍ଦ୍ର,କାର୍ତିଗୁଡା ପଞ୍ଚାୟତ ଲେଲିପଦର ଗ୍ରାମର ଅମୃତ ସରବର ପୋଖରୀ, ଜଳ ଜୀବନ ମିଶନ ପରିଦର୍ଶନ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ତତ୍ପରେ ପାଇକ ପଦ ଗସ୍ତ କରି ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ,ଗୋପୀ କାଙ୍କୁବାଡି ଗ୍ରାମର ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ବଡ଼ ଖିଲାପଦର ଗ୍ରାମପଞ୍ଚାୟତର କରାଗାଡି ଗ୍ରାମରେ ଜୀବିକା ମିଶନ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ସହ ପ୍ରଶଂସା କରିଥିଲେ । ଜିଲ୍ଲା ସଦର ମୂଖ୍ୟ ଚିକିତ୍ସାଳୟ, ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର, ଅଶୋକ କଲ୍ୟାଣ ମଣ୍ଡପ ଠାରେ ନିର୍ମିତ ଜଳ ଅମଳ ପ୍ରକଳ୍ପ,କୁମୁତୁଲୁପେଟା ସ୍ଥିତ ଉଗ୍ରତାରା ୫ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେହିପରି ଦ୍ୱିତୀୟ ଦିନରେ ଅଧିକାରୀ ରାମନାଗୁଡା ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର କାରୁବାଇ ଗ୍ରାମର ଜଳ ଅମଳ ପ୍ରକଳ୍ପ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରାମନାଗୁଡା, ବ୍ଳକ କାର୍ଯ୍ୟାଳୟ ପରିସରରେ ନିର୍ମିତ ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ, ପାରିଖିତି ପଞ୍ଚାୟତର ଖିଲାପଦର ଗ୍ରାମରେ ନିର୍ମିତ ଅମୃତ ସରବର ପୋଖରୀ, ସୋରିଷ ପଦର ଗ୍ରାମର ମତ୍ସ୍ୟ ଚାଷ ଏବଂ ଶେଷରେ ବାଙ୍ଗିଛକରେ କରାଯାଇଥିବା ପାମଲିନ୍ ଚାଷକୁ ପରିଦର୍ଶନ କରିଥିଲେ । ଉକ୍ତ କ୍ଷେତ୍ର ପରିଦର୍ଶନରେ ପ୍ରଭାରୀ ଅଧିକାରୀଙ୍କ ସମେତ ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂ, ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ରବିନାରାୟଣ ତ୍ରିପାଠୀ, ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭା ଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଭାରୀ ଅଧିକାରୀ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଶ୍ରୀମତି ସିଂ ଜିଲ୍ଲାର ଉନ୍ନତି ଓ ବିକାଶ ପଥରେ କାର୍ଯ୍ୟକାରୀ କରାଯାଉଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଏଥିରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସମନ୍ଵିତ ଶିଶୁ ବିକାଶ, ଶିଶୁ ସୁରକ୍ଷା, ସମାଜ କଲ୍ୟାଣ,ଦକ୍ଷତା ବିକାଶ,କୃଷି, ପ୍ରାଣୀ ଚିକିତ୍ସା, ଇତ୍ୟାଦି ଉପରେ ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ ଏବଂ ବିଭାଗୀୟ ଅଧିକାରୀ ମାନେ ଅଧିକ ଯତ୍ନବାନ ହୋଇ ଜନ କଲ୍ୟାଣ ଯୋଜନାର ସଫଳ ରୂପାୟନରେ ନିଜର ଦାୟିତ୍ଵ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ରବିନାରାୟଣ ତ୍ରିପାଠୀ, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାୟ,ପ୍ରଶାସକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ପଦ୍ମ ଚରଣ ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଯଜ୍ଞସେନୀ ବେହେରା,ଅଧିକ୍ଷଣ ଯନ୍ତ୍ରୀ ଗ୍ରାମୀୟ ନିର୍ମାଣ ବିଭାଗ, ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ,ଜଳ ବିଭାଜିକା ମିଶନ, ଜିଲ୍ଲା ଶିକ୍ଷା ଅଧିକାରୀ, ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।