ପୁରା ଖବର ବିଷୟରେ



ସ୍ୱାସ୍ଥ୍ୟ ବିଭାଗର ବ୍ୟାପକ ପଦକ୍ଷେପ, ସଧୁରୁଛି କାଶୀପୁର ସ୍ଥିତି

Jul 28 2022 7:49AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା- ପାଖାପାଖି ୨୦ ଦିନର ନିରବିଚ୍ଛିନ୍ନ ମୁକାବିଲା ପରେ ନୀୟନ୍ତ୍ରଣକୁ ଆସୁଛି କାଶୀପୁର ଝାଡାବାନ୍ତି ସ୍ଥିତି । ହଇଜା ସଂକ୍ରମଣ ଆରମ୍ଭରୁ ମୁକାବିଲା ପାଇଁ ପ୍ରସ୍ତୁତି ପୂର୍ବକ ବ୍ୟାପକ ପଦକ୍ଷେପ ହାତକୁ ନେଇଛି ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ । ଯେଉଁଥିପାଇଁ ମୃତ୍ୟୁହାରକୁ ଯଥାସମ୍ଭବ ରୋକାଯାଇପାରିଛି । ଗତ ଜୁଲାଇ ମାସ ପ୍ରଥମ ସପ୍ତାହରେ କାଶୀପୁର ର ଦୁଡୁକାବାହାଲରେ ହଇଜା ଦେଖାଦେବା ପରେ ସମସ୍ତ କଳବଳ ଲଗାଇ ସ୍ଥିତିକୁ ଆୟତ କରିବା ପାଇଁ ଲାଗି ପଡିଥିଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ତେବେ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ୧୭ ଜଣ ଡାକ୍ତର, ୨ ଜଣ ଶିଶୁ ରୋଗ ବିଶେଷଜ୍ଞ, ୧୪ ଜଣ କମ୍ୟୁନିଟି ହେଲ୍‌ଥ ଅଫିସର, ୫ ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ), ୩୨ ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା), ୨୩୩ ଜଣ ଆଶାକର୍ମୀ,୯ ଟି ମୋବାଇଲ ହେଲ୍‌ଥ ୟୁନିଟ୍ ସହିତ ୬ ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଟିକିରି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାଶୀପୁର, ଡଙ୍ଗାସିଲ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ହଇଜା ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି । ଆଜିସୁଦ୍ଧା ୧୪୭ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସାପାଇଁ ଭର୍ତ୍ତୀ ହୋଇଛନ୍ତି ତନ୍ମଧ୍ୟରୁ ୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ଏବଂ ମୋଟ ୯ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ତେବେ ବିଶେଷଭାବେ କାଶୀପୁର ଅଞ୍ଚଳର ୧୦ ଟି ଗ୍ରାମରେ ଆଜିସୁଦ୍ଧା ଦୁଡୁକାବାହାଲ, ଗୋବରଘାଟି, କୁମୁରୁଝୋଡି, କାକୁଦିପଦର, ପାଞ୍ଚାଳି, କପାଡଙ୍ଗ, ଡେଙ୍ଗାଗୁଡା, ଟିକିରି ଝଡିଆସାହି,କୋରାପୁଟ ସାହି, ଜାମୁଗୁଡା ଆଦି ଗ୍ରାମରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକଥିବାରୁ ସେଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି । ଜୁଲାଇ ୨୭ ତାରିଖ ମଧ୍ୟରେ କାଶୀପୁର ବ୍ଲକ ଅଞ୍ଚଳରେ ମୋଟ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ହଇଜା ଜନିତମୃତ୍ୟୁ ହୋଇଛି । ସେମାନେ ହେଲେ ସବିତା ନାୟକ (ଦୁଡୁକାବାହାଲ), ଧୋବ ମାଝି (କୋରାପୁଟ ସାହି), ରଜନୀ ଝୁଡିଆ, ଅଞ୍ଜନା ଝୁଡିଆ, ସରୋଜିନି ଝୁଡିଆ (ଝଡିଆ ସାହି ), କନେଇ ମାଝୀ (ଗୋବର ଘାଟି), ଅଗାଧୁ ଗରଡା (ପାଞ୍ଚାଳୀ), ଅର୍ଜୁନ ମାଝୀ (ଡେଙ୍ଗାଗୁଡା), ସୁନି ମାଝୀ (ଜାମୁଗୁଡା) । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାଶୀପୁର ଅଞ୍ଚଳର ମୋଟ ୩୧୮ ଟି ଗ୍ରାମକୁ ନଜରରେ ରଖାଯାଇଥିବା ବେଳେ ୨୮୯ ଟି ଗ୍ରାମକୁ ବିଶୋଧନ କରାଯାଇଛି । ଏହା ସହିତ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଆକ୍ରାନ୍ତଙ୍କ ସର୍ବେକ୍ଷଣ କରିନିୟମିତ ଭାବେ ଔଷଧ ବଣ୍ଟନ କରୁଛନ୍ତି । ଏହା ବ୍ୟତୀତ ବିଦ୍ୟାଳୟ, ହାଟ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସଚେତନତା ମୂଳକ କାର୍ଯ୍ୟକ୍ରମ ଭାବେ ସଫେଇ, ଜଳ ବିଶୋଧନ, ଡାକବାଜି ପ୍ରଚାର, ପଥପ୍ରାନ୍ତ ନାଟକ ମାଧ୍ୟମରେ ଆଦି କରାଯାଉଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ଥିତିର ଗମ୍ଭୀରତାକୁ ଦେଖି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଶ୍ରୀ ନିରଞ୍ଜନ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ବିଭାଗ, ଅତିରିକ୍ତ ନିର୍ଦ୍ଦେଶକ, ଶିଶୁ ସ୍ୱାସ୍ଥ୍ୟ ଶ୍ରୀ ଆଦିତ୍ୟ ମହାପାତ୍ର କାଶୀପୁର ଆଦି ଅଧିକାରୀମାନେ କାଶୀପୁର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ।