ପୁରା ଖବର ବିଷୟରେ



ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

Jul 7 2022 1:32PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ତହସିଲ ଅଫିସ ଓ ରେଭେନ୍ୟୁ କୋର୍ଟର ସମସ୍ୟା, ସ୍ୱାସ୍ଥ୍ୟ ସେବାରେ ସୁଧାର, ବିଦ୍ୟୁତ୍ ସମସ୍ୟାର ପ୍ରତିକାର ଓ ଜିଲ୍ଲାର କେତେକ ଅଫିସର ଓ କର୍ମଚାରୀଙ୍କ ଅସାଳୀନ ବ୍ୟବହାର ଏବଂ ଏସବୁର ପ୍ରତିକାର ସମ୍ବନ୍ଧରେ ଆଲୋଚନା ନବରଙ୍ଗପୁର ଜିଲ୍ଲାପାଳ ଡଃ କୋମଳ ଲୋଚନ ମିଶ୍ରଙ୍କୁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଅତିରିକ୍ତ ସରକାରୀ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଆଇନଜୀବୀ ପ୍ରଦୀପ କୁମାର ସାହୁ, ସରୋଜ ବେହେରା, କିଶୋର କୁମାର ପଟ୍ଟନାୟକ, ଶ୍ରୀନିବାସ ପାତ୍ର ସାକ୍ଷାତ କରି ଜିଲ୍ଲା ର ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ସହ ଦୀର୍ଘ ସମୟ ଆଲୋଚନା କରି ଏଗୁଡ଼ିକ ର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରାଯାଇଛି ‌। ନବରଙ୍ଗପୁର ତହସିଲ ଓ ଜିଲ୍ଲା ର ସମସ୍ତ ତହସିଲ ଗୁଡିକରେ ଜନସାଧାରଣଙ୍କ ନିମ୍ନ ତମ ସେବା ଯୋଗାଇବାରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖାଯାଉଛି । ସେଟେଲମେଣ୍ଟ ରିଭିଜନ ମାମଲା ଗୁଡ଼ିକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ସତ୍ବେ ତହସିଲ ଗୁଡିକ ଏହା କାର୍ଯ୍ୟକାରୀ କରୁନାହାନ୍ତି। ଏଥିପାଇଁ ଜନ ସାଧାରଣ ଘର ତିଆରି କରି ପାରୁନାହାଁନ୍ତି, ନିଜ ଜମି ବିକ୍ରି କରି ପାରୁନାହାଁନ୍ତି, କୋର୍ଟ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନଥିବା ଯୋଗୁଁ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ତହସିଲ, ସବ୍ କଲେକ୍ଟର, ଅତିରିକ୍ତ ସବ୍ କଲେକ୍ଟର, ରେଭେନ୍ୟୁ କୋର୍ଟରେ ବିଭିନ୍ନ ଦଲିଲ ର ପ୍ରମାଣିତ ନକଲ ଦେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି, ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର, ଆୟ ପ୍ରମାଣପତ୍ର ଓ ବିବିଧ ପ୍ରମାଣ ପତ୍ର ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି । ଦୀର୍ଘ ପାଞ୍ଚ ବର୍ଷ ରୁ ଅଧିକ ହେବ ଅତିରିକ୍ତ ଜିଲ୍ଲାପାଳ ଓ ରେଭେନ୍ୟୁ ଅଫିସରଙ୍କ କୋର୍ଟ କାର୍ଯ୍ୟ କରୁନାହିଁ । ଓଡିଶା ସରକାର ଜିଲ୍ଲାର ଗରିବ ଓ ନୀରିହ ଜନ ସାଧାରଣଙ୍କ ପାଇଁ ଗତ ୨୦୧୬ ମସିହାରୁ ପ୍ରତି ପଞ୍ଚାୟତରେ "ମଧୁସୂଦନ ଆଇନ ସହାୟତା କେନ୍ଦ୍ର" ଆରମ୍ଭ କରିବାକୁ ଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ଏହି ସ୍ମାରକପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଏହା କାର୍ଯ୍ୟକାରୀ ହେଲେ ଜନସାଧାରଣ ବିନାମୂଲ୍ୟରେ ଆଇନ ସହାୟତା ପାଇବେ । ଜିଲ୍ଲା ର ଅତିରିକ୍ତ ସବ୍ କଲେକ୍ଟର, ତେନ୍ତୁଳିଖୁଣ୍ଟି ଅତିରିକ୍ତ ତହସିଲଦାର ଆଇନଜୀବୀ ମାନଙ୍କୁ ଉଚିତ୍ ବ୍ୟବହାର କରୁନଥିବା ଓ ଓ ବିଭିନ୍ନ କାର୍ଯ୍ୟାଳୟ ର କେତେକ କର୍ମଚାରୀ ଆଇନଜୀବୀ ଓ ଜନ ସାଧାରଣଙ୍କୁ ଠିକ୍ ବ୍ୟବହାର କରୁନଥିବା ର ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା । ସେହିଭଳି ନବରଙ୍ଗପୁର ଜିଲ୍ଲା ସଦରମହକୁମା ଡାକ୍ତରଖାନା ଓ ଅନ୍ୟ ସମସ୍ତ ଡାକ୍ତରଖାନାଗୁଡ଼ିକରେ ଡାକ୍ତର ନଥିବା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଅହେତୁକ ବିଦ୍ୟୁତ୍ କାଟ ସମ୍ବନ୍ଧରେ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଲିଖିତ ଭାବେ ଅନୁରୋଧ କରାଯାଇଛି। ନବରଙ୍ଗପୁର ହସ୍ପିଟାଲ ରାସ୍ତା ର ଅନ୍ୟ ଅଞ୍ଚଳ ର ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା ନଥିବାରୁ ଏହାର ପ୍ରତିକାର ଓ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କରାଯାଇଛି । ଦୀର୍ଘ ଏକ ଘଣ୍ଟା ସଂଘ ପ୍ରତିନିଧିଙ୍କ ସହ ଜିଲ୍ଲା ପାଳ ଦୀର୍ଘ ଏକ ଘଣ୍ଟା ଆଲୋଚନା କରିଥିଲେ ଓ ଏସବୁର ପ୍ରତିକାର ଓ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ଜିଲ୍ଲା ସ୍ତରୀୟ ରେଭେନ୍ୟୁ ମିଟିଂ ରେ ଜିଲ୍ଲା ଆଇନଜୀବୀ ସଂଘର ପ୍ରତିନିଧି ନିୟମିତ ଭାବେ ଯୋଗଦେଇ ଜିଲ୍ଲା ର ଆଇନଜୀବୀ ଓ ଜନ ସାଧାରଣଙ୍କ ଉପରୋକ୍ତ ସମସ୍ୟା ଉପସ୍ଥାପନ କରି ସେଗୁଡିକର ସମାଧାନ ପାଇଁ ଜିଲ୍ଲାପାଳ କହିଛନ୍ତି। ଏଭଳି କୌଣସି ସମସ୍ୟା ଥିଲେ ନବରଙ୍ଗପୁର ଜିଲ୍ଲାର ଜନସାଧାରଣ ଲିଖିତ ଭାବେ ଜିଲ୍ଲା ଆଇନଜୀବୀ ସଂଘକୁ ଅବଗତ କରିପାରିବେ ଓ ସେଗୁଡିକୁ ଜିଲ୍ଲାର ଉଚ୍ଚ ସ୍ତରୀୟ ବୈଠକରେ ଉପସ୍ଥାପିତ କରି ସମାଧାନ କରାଯିବ ବୋଲି ଆଇନଜୀବୀ ସଂଘ ତରଫରୁ କୁହାଯାଇଛି।