ପୁରା ଖବର ବିଷୟରେ



ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଯବାନ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ

Jun 23 2022 10:07PM
କଳାହାଣ୍ଡି/କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅଧୀନ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ଯବାନ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଗୁଳି ବିନିମୟରେ କେହି ମୃତାହତ ହୋଇନଥିବାର ସୂଚନା । କଳାହାଣ୍ଡି ଏସ୍‌ପି ଅଭିଳାଶ ଜି ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀମାନେ କ୍ୟାମ୍ପ କରି ରହୁଥିବା ନେଇ ସୂଚନା ମିଳିଥିଲା। ଏନେଇ ବୁଧବାର ରାତିରେ ଏସ୍‌ଓଜି ଏବଂ ଡିଭିଏଫ ଯବାନ ପକ୍ଷରୁ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ହେଲେ ମାଓବାଦୀମାନେ ଏହାର ସାମ୍ନା କରି ନ ପାରି ଛତ୍ର ଭଙ୍ଗ ଦେଇଥିଲେ। ଯବାନମାନେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କର ଏକ କ୍ୟାମ୍ପ ଠାବ କରିଥିଲେ। କ୍ୟାମ୍ପରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି। ଅନ୍ୟପକ୍ଷେ ଅଞ୍ଚଳରେ କୋମ୍ବିଂ ଅପରେସନକୁ ଜୋର୍‌ଦାର କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। କିଛିଦିନ ତଳେ ନୂଆପଡ଼ାରେ ମାଓବାଦୀମାନେ ଏକ ବଡ଼ଧରଣର ଆକ୍ରମଣ କରିଥିଲେ। ସେହିପରି କଳାହାଣ୍ଡିରେ ମଧ୍ୟ ଏକ ବଡ଼ ଧରଣର ମାଓବାଦୀ ଆକ୍ରମଣର ଯୋଜନା କରୁଥିଲେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।