ପୁରା ଖବର ବିଷୟରେ



ଗୁଡ଼ାରୀ ପୋଲିସକୁ ମିଳିଛି ବଡ଼ ସଫଳତା,୧୮୦ କେଜି ଗଞ୍ଜେଇ,ଏକ ଟ୍ରକ ଜବତ ସହ ୨ ଜଣ ଗିରଫ

May 21 2022 1:03PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ଗୁମୁଡା ଫାଣ୍ଡି ପୋଲିସ ଦ୍ବାରା ୩୨୬ ଜାତୀୟ ରାଜପଥ ଗୁମୁଡା-ଗୁଡାରୀ ଛକ ନିକଟରେ ଆଜି ସକାଳ ୪.୩୦ ମିନିଟ ସମୟରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ଓ ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏବଂ ଗୁଡ଼ାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ ଓ ଗୁମୁଡା ଫାଣ୍ଡି ଅଧିକାରୀ ଶ୍ରୀ ରଞ୍ଜିତ ତ୍ରିପାଠୀଙ୍କ ମିଳିତ ପୋଲିସ ଟିମ ସହଯୋଗରେ ୧୮୦ କେଜି ଗଞ୍ଜେଇ ବୋଝେଇ ଟ୍ରକ ନମ୍ବର UP.82 T 8488 ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସୂଚନା ଥାଉକି ଗଜପତି ଅଞ୍ଚଳରୁ ବିହାରକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ ଗୁମୁଡା-ଗୁଡାରୀ ଛକ ନିକଟରେ ଭୋର ସକାଳୁ ଛପି ବସିଥିଲେ । ସେହି ସମୟରେ ଏକ ଟ୍ରକ ଯାଉଥିବା ଦେଖି ଟ୍ରକକୁ ଅଟକାଇ ଯାଞ୍ଚ କରିଥିବା ବେଳେ ଟ୍ରକରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ତତ୍ କ୍ଷଣାତ ଗାଡ଼ିରେ ବସିଥିବା ୨ ଜଣ ଆସାମୀଙ୍କୁ କାବୁ କରି ଥାନାକୁ ନେଇ ଗଞ୍ଜେଇ ସହ ଟ୍ରକ ଜବତ କରିଥିବା ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ବିହାର ରାଜ୍ୟର ଟ୍ରକ ଡ୍ରାଇଭର ରଘୁବିନ୍ଦ୍ର ଯାଦବ ଓ ହେଲପର ପ୍ରଦୀପ କୁମାର ବୋଲି ଜଣାପଡିଛି ।ଏ ସମ୍ପର୍କରେ ଗୁଡ଼ାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ ସୂଚନା ଦେଇଛନ୍ତି ।