ପୁରା ଖବର ବିଷୟରେ



ରାଜ୍ୟରେ ସର୍ବକନିଷ୍ଠ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

May 14 2022 4:45AM
(ରାୟଗଡା ଜିଲ୍ଲା ପ୍ରତିନିଧି ଇପିଲି ରମେଶଙ୍କ ରିପୋର୍ଟ) ରାୟଗଡା : : ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସକାଳ ୯ଟା ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଡିଆରଡିଏ କାର୍ଯ୍ୟାଳୟରେ ପଂହଚି ପୂଜାର୍ଚ୍ଚନା କରି ନିଜ କକ୍ଷକୁ ଯାଇଥିଲେ । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝିଙ୍କୁ ଫୁଲତାେଡା ଦେଇ ସ୍ୱାଗତ କରିବା ସହ ଜିଲ୍ଲା ବିକାଶରେ ନୂତନ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ବିଭିଷଣ ମାଝି, କମଳ ସାଉନ୍ତା, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲକାଙ୍କ ସମେତ ଅନ୍ୟ ପରିଷଦ ସଭ୍ୟସଭ୍ୟା, ସମିତି ସଭ୍ୟ, ସରପଂଚ ଏବଂ ଅଂଚଳବାସୀଙ୍କ ତରଫରୁ ଅଧ୍ୟକ୍ଷା ସୁଶ୍ରୀ ମାଝିଙ୍କୁ ଫୁଲତାେଡା ପ୍ରଦାନ କରାଯାଇ ଶୁଭେଚ୍ଛା ଜଣାଯାଇଥିଲା । ଜିଲ୍ଲାରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ଦିଗକୁ ସେ ଅଧିକ ଗରୁତ୍ୱ ଦେଇ କାମ କରିବା ସହ ସମସ୍ତଙ୍କ ସହଯୋଗରେ ଜିଲ୍ଲାର ବିକାଶକୁ ଆଗେଇ ନେବା ବୋଲି ପ୍ରକାଶ କରିଛନ୍ତି । ଗତ ମାର୍ଚ୍ଚ ୧୩ତାରିଖରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ନିର୍ବାଚନରେ ସୁଶ୍ରୀ ମାଝି ନିର୍ଦ୍ୱନ୍ଦରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ସର୍ବକନିଷ୍ଠ ୨୨ବର୍ଷିୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ସୁଶ୍ରୀ ମାଝି ପରିଗଣିତ ହେଇଛନ୍ତି ।