ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସଚେତନତା ରଥର ଶୁଭାରମ୍ଭ

Apr 18 2022 8:37PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା : ଯେହେତୁ କୋଭିଡ -୧୯ ମହାମାରୀ ଯୋଗୁଁ ଦୀର୍ଘ ଦିନ ବିଦ୍ୟାଳୟ ବନ୍ଦ ରହିଥିଲା ତେଣୁ କିଛି ପିଲା କୌଣସି କାରଣରୁ ବିଦ୍ୟାଳୟକୁ ଆସୁ ନ ଥାଇ ପାରନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲକୁ ଫେରାଇଆଣିବା ନିମନ୍ତେ ଅଭିଯାନ ଆରମ୍ଭ କରିବା ପାଇଁ ସଚେତନତା ରଥର ଶୁଭାରମ୍ଭ ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ସମସ୍ତ ୧୧ ଟି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଉକ୍ତ ରଥ ଗୁଡିକ ଜିଲ୍ଲାର ସମସ୍ତ ବ୍ଲକ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରକାଶ ଥାଉ କି ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନକ୍ରମେ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଭାବେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି । ପ୍ରକାଶ ଥାଉ କି ରାୟଗଡା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଯିବା ବୟସର ପିଲାମାନେ ବିଦ୍ୟାଳୟକୁ ଯିବେ ଓ ପାଠ ପଢିବେ ଏବଂ ଜିଲା କୁ ଏକ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବା ଲକ୍ଷ୍ୟ ନେଇ ପ୍ରଚେଷ୍ଟା ନାମରେ ଏକ ଅଭିଯାନ ଚାଲୁ ରହିଛି । ଜିଲ୍ଲାରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ବୁଲିବା ସମ୍ବନ୍ଧରେ ଜିଲ୍ଲାର ସମସ୍ତ ୧୧ ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ସମସ୍ତ ଶିଶୁଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ଉଦ୍ଧିଷ୍ଟ ଏହି ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ଶିକ୍ଷକ ମାନେ ଅଧାରୁ ପାଠ ପଢା ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରିବା, ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରିବା, ଯେଉଁ ଛାତ୍ର ଛାତ୍ରୀ ମାନେ ପାଠ ପଢା ଛାଡି ଦେଇଛନ୍ତି ସେମାନେ ବର୍ତ୍ତମାନ କଣ କରୁଛନ୍ତି ତାହା ଜାଣିବା, ସରକାରଙ୍କ ତରଫରୁ ପାଠ ପଢିବା ପାଇଁ ଯେଉଁ ସୁବିଧା ଗୁଡିକ ରହିଛି ତାହା ବିଷୟରେ ଅଭିଭାକ ମାନଙ୍କୁ ସଚେତନ କରାଇବା, ପାଠ ପଢା ବୟସର ଶିଶୁ ମାନଙ୍କୁ ବିଦ୍ୟାଳୟକୁ ଆଣିବା, ଯେଉଁ ଛାତ୍ର ଛାତ୍ରୀ ମାନେ ଯାତାୟାତ ଖର୍ଚ୍ଚ ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ଯାତାୟତ ଖର୍ଚ ଯୋଗାଇବା, ନିୟମିତ ଭାବେ ଉପସ୍ଥାନକୁ ତଦାରଖ କରିବା, ସଚେତନତା ରଥ ଦ୍ଵାରା ଘରକୁ ଘର ବୁଲି ଅଭିଭାବକ ମାନଙ୍କ ସହିତ ଯୋଗାଯୋଗ ଓ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହା ସହିତ ନିୟମିତ ଉପସ୍ଥାନକୁ ତଦାରଖ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ଦାୟିତ୍ଵ ବିଷୟରେ ଗୁରୁତ୍ଵ ଦିଆଯାଇଥିଲା । ଯେଉଁ ପିଲା ମାନେ ମାଟ୍ରିକ ପାଠ ପଢି ସାରିଲା ପରେ ଯଦି ଆଉ ପାଠ ପଢୁ ନାହାନ୍ତି ତେବେ ସେମାନଙ୍କୁ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପାଠ ପଢିବାର ସୁବିଧା ରହିଛି ବୋଲି ବୁଝାଇବାକୁ ହେବ, ଯଦି ଝିଅ ମାନେ ଆଇ ଟି ଆଇ ମାଧ୍ୟମରେ ପାଠ ପଢିବେ ତେବେ ସେମାନଙ୍କୁ ମଧ୍ୟ ମାଗଣା ପାଠ ପଢିବାର ସୁବିଧା ରହିଛି ବୋଲି ବୁଝାଇବା, ଯେଉଁ ପରିବାରର ନିର୍ମାଣ ଶ୍ରମିକ କାର୍ଡ ରହିଛି ସେହି ପରିବାରର ପିଲା ମାନଙ୍କୁ ପାଠ ପଢିବା ନିମନ୍ତେ ଆର୍ଥିକ ସହଯୋଗ ମଧ୍ୟ ସରକାର ଦେଉଛନ୍ତି ତାହା ବିଦ୍ୟାଳୟ ପରିଚାଳନା କମିଟି ମାଧ୍ୟମରେ ଅଭିଭାବକ ଓ ପିଲା ମାନଙ୍କୁ ବୁଝାଇବାକୁ ହେବ ବୋଲି ଜିଲ୍ଲାପାଳ ଗୁରୁତ୍ଵ ଦେଇଛନ୍ତି । ଉକ୍ତ ସଚେତନ ରଥ ଗୁଡିକ ପ୍ରତ୍ଯେକ ବ୍ଲକରେ ୫ ଦିନ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟ କରିବା ପରେ ଶିକ୍ଷକ, ପରିଚାଳନା କମିଟିର ସଭ୍ୟ, ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମିଶି ରଥ ପହଞ୍ଚି ପାରି ନ ଥିବା ପ୍ରତ୍ୟେକ ଗ୍ରାମରେ ପଦଯାତ୍ରା ମାଧ୍ୟମରେ ବିଦ୍ୟାଳୟକୁ ଆସୁ ନ ଥିବା ପିଲା ଓ ସେମାନଙ୍କ ଅଭିଭାବକ ବା ପିତାମାତାଙ୍କୁ ପ୍ରତ୍ଯକ୍ଷ ଭାବେ ମିଶି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବେ । ଜିଲ୍ଲା ପ୍ରଶାସନର ଏହି ଭଳି ଅଭିନବ ପ୍ରଚେଷ୍ଟା କୁ ବୁଦ୍ଧିଜୀବି ମହଲରେ ବେଶ ପ୍ରଶଂସା କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନ ଲାଲ ମାଝୀ, ପିରାମଲ ଫାଉଣ୍ଡେସନର ଅନନ୍ୟା ଚକ୍ରବର୍ତ୍ତୀ, ଆକ୍ସନ ଏଡ-ୟୁନିସେଫ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ଏବଂ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ରହିଥିଲେ ।