ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ଅଭିଯାନ ସମ୍ବନ୍ଧୀୟ ବୈଠକ

Apr 12 2022 6:40PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା : ଯେହେତୁ କୋଭିଡ -୧୯ ମହାମାରୀ ଯୋଗୁଁ ଦୀର୍ଘ ଦିନ ବିଦ୍ୟାଳୟ ବନ୍ଦ ରହିଥିଲା ତେଣୁ କିଛି ପିଲା କୌଣସି କାରଣରୁ ବିଦ୍ୟାଳୟକୁ ଆସୁ ନ ଥାଇ ପାରନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ସ୍କୁଲକୁ ଫେରାଇଆଣିବା ନିମନ୍ତେ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନକ୍ରମେ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଭାବେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି । ପ୍ରକାଶ ଥାଉ କି ରାୟଗଡା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଯିବା ବୟସର ପିଲାମାନେ ବିଦ୍ୟାଳୟକୁ ଯିବେ ଓ ପାଠ ପଢିବେ ଏବଂ ଜିଲା କୁ ଏକ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବା ଲକ୍ଷ୍ୟ ନେଇ ପ୍ରଚେଷ୍ଟା ନାମରେ ଏକ ଅଭିଯାନ ଚାଲୁ ରହିଛି । ଜିଲ୍ଲାରେ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଚିହ୍ନଟ କରି ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ପ୍ରତ୍ଯେକ ବ୍ଲକରେ ସଚେତନତା ରଥ ବୁଲିବା ସମ୍ବନ୍ଧରେ ଜିଲ୍ଲାର ସମସ୍ତ ୧୧ ଟି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ, ବ୍ଲକ ଏମ ଆଇ ଏସ ସଂଯୋଜକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ସମସ୍ତ ଶିଶୁଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ନିମନ୍ତେ ଉଦ୍ଧିଷ୍ଟ ଏହି ଅଭିଯାନ ମାଧ୍ୟମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ଶିକ୍ଷକ ମାନେ ଅଧାରୁ ପାଠ ପଢା ଛାଡିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରିବା, ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ଚିହ୍ନଟ କରିବା, ଯେଉଁ ଛାତ୍ର ଛାତ୍ରୀ ମାନେ ପାଠ ପଢା ଛାଡି ଦେଇଛନ୍ତି ସେମାନେ ବର୍ତ୍ତମାନ କଣ କରୁଛନ୍ତି ତାହା ଜାଣିବା, ସରକାରଙ୍କ ତରଫରୁ ପାଠ ପଢିବା ପାଇଁ ଯେଉଁ ସୁବିଧା ଗୁଡିକ ରହିଛି ତାହା ବିଷୟରେ ଅଭିଭାକ ମାନଙ୍କୁ ସଚେତନ କରାଇବା, ପାଠ ପଢା ବୟସର ଶିଶୁ ମାନଙ୍କୁ ବିଦ୍ୟାଳୟକୁ ଆଣିବା, ଯେଉଁ ଛାତ୍ର ଛାତ୍ରୀ ମାନେ ଯାତାୟାତ ଖର୍ଚ୍ଚ ପାଇବା ପାଇଁ ଯୋଗ୍ୟ ସେମାନଙ୍କୁ ଯାତାୟତ ଖର୍ଚ ଯୋଗାଇବା, ନିୟମିତ ଭାବେ ଉପସ୍ଥାନକୁ ତଦାରଖ କରିବା, ସଚେତନତା ରଥର ଆୟୋଜନ ଓ ଘରକୁ ଘର ବୁଲି ଅଭିଭାବକ ମାନଙ୍କ ସହିତ ଯୋଗାଯୋଗ ଓ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କର।ଯାଇଛି। ଆସନ୍ତା ସପ୍ତାହରେ ଗୋଟିଏ ଦିନରେ ଏକା ସମୟରେ ସମସ୍ତ ଏଗାର ଗୋଟି ବ୍ଲକ ରେ ଏହି ସଚେତନତା ରଥ ପରିକ୍ରମା କରି ସଚେତନ କରିବା ସହିତ ଚିହ୍ନଟ ହୋଇଥିବା ଶିଶୁମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ଉକ୍ତ ପ୍ରସ୍ତୁତି ବୈଠକକୁ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଆକ୍ସନ ଏଡ ମିଳିତ ଭାବେ ଆୟୋଜନ କରିଥିଲେ । ଏହା ସହିତ ନିୟମିତ ଉପସ୍ଥାନକୁ ତଦାରଖ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ଦାୟିତ୍ଵ ବିଷୟରେ ଆଲୋଚନା କରଯାଇଥିଲା । ଯେଉଁ ପିଲା ମାନେ ମାଟ୍ରିକ ପାଠ ପଢି ସାରିଲା ପରେ ଯଦି ଆଉ ପାଠ ପଢୁ ନାହାନ୍ତି ତେବେ ସେମାନଙ୍କୁ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପାଠ ପଢିବାର ସୁବିଧା ରହିଛି ବୋଲି ବୁଝାଇବାକୁ ହେବ, ଯଦି ଝିଅ ମାନେ ଆଇ ଟି ଆଇ ମାଧ୍ୟମରେ ପାଠ ପଢିବେ ତେବେ ସେମାନଙ୍କୁ ମଧ୍ୟ ମାଗଣା ପାଠ ପଢିବାର ସୁବିଧା ରହିଛି ବୋଲି ବୁଝାଇବା, ଯେଉଁ ପରିବାରର ନିର୍ମାଣ ଶ୍ରମିକ କାର୍ଡ ରହିଛି ସେହି ପରିବାରର ପିଲା ମାନଙ୍କୁ ପାଠ ପଢିବା ନିମନ୍ତେ ଆର୍ଥିକ ସହଯୋଗ ମଧ୍ୟ ସରକାର ଦେଉଛନ୍ତି ତାହା ପିଲା ମାନଙ୍କୁ ବୁଝାଇବାକୁ ହେବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ସମସ୍ତ ସି ଆର ସି ସି ଓ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ପ୍ରାକ ପ୍ରସ୍ତୁତି ବୈଠକ ଆୟୋଜନ କରିବେ, କେଉଁ ଦିନ ରଥ କେଉଁ ଗ୍ରାମକୁ ଯିବ ସେଠାରେ କଣ ସବୁ ଆଲୋଚନା କରାଯିବ ତାହା ବିଷୟରେ ପ୍ରାକ ପ୍ରସ୍ତୁତି ହେବ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ଅଧାରୁ ପାଠ ପଢା ଛାଡିଥିବା କିମ୍ବା ଜମାରୁ ବିଦ୍ୟାଳୟକୁ ଆସୁ ନ ଥିବା ପିଲା ମାନଙ୍କୁ କିପରି ବିଦ୍ୟାଳୟକୁ ଆଣି ପାରିବେ ସେ ବିଷୟରେ ଆଲୋଚନା କରିବେ, ଯେଉଁ ପିଲା ମାନେ ବହୁତ ଦିନ ହେବ ପାଠ ପଢା ଛାଡି ଦେଇଛନ୍ତି ସେମାନଙ୍କୁ କିପରି ବିଭିନ୍ନ ଦକ୍ଷତା ବୃଦ୍ଧି ବା ଧନ୍ଦା ମୂଳକ ଶିକ୍ଷା କିମ୍ବା ମୁକ୍ତ ବିଦ୍ୟାଳୟରେ ପଢିବାର ସୁବିଧା ରହିଛି ତାହା ବୁଝାଇବା ଏବଂ ପଞ୍ଚାୟତ ସ୍ତରୀୟ ଷ୍ଟାଣ୍ଡି କମିଟି (ସ୍ଥାୟୀ କମିଟି) ଗୁଡିକୁ ପୁନର୍ଗଠନ କରିବା ପାଇଁ ବି ଡି ଓ ଙ୍କ ସହିତ ଆଲୋଚନା କରିବା ଏବଂ କେତେ ପିଲା ବିଦ୍ୟାଳୟ ବାହାରେ ଥିଲେ ଏବଂ ଏହି କାର୍ଯ୍ୟକ୍ରମ ପରେ କେତେ ପିଲା ବିଦ୍ୟାଳୟକୁ ଆସିଲେ ତାହାର ସବିଶେଷ ବିବରଣୀ ଜିଲ୍ଲା ସ୍ତରକୁ ଜଣାଇବା ନିମନ୍ତେ ନିଷ୍ପତ୍ତି ନିଆ ଯାଇଥିଲା । ଏହି ବୈଠକ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ସଂଯୋଜକ ଶ୍ରୀ ମନୋଜ କୁମାର ଗୌଡ ସମସ୍ତଙ୍କୁ ସ୍ଵାଗତ କରିଥିଲା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନ ଲାଲ ମାଝୀ, ପିରାମଲ ଫାଉଣ୍ଡେସନର ଅନନ୍ୟା ଚକ୍ରବର୍ତ୍ତୀ ଓ ଆକ୍ସନ ଏଡ-ୟୁନିସେଫ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ବାହାରେ ରହୁଥିବା ଶିଶୁ ମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ ବିଦ୍ୟାଳୟକୁ ଆଣିବା ନିମନ୍ତେ ବିଭିନ୍ନ ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ ଏବଂ ଜିଲ୍ଲା ଶିକ୍ଷା ଶାସ୍ତ୍ର ସଂଯୋଜକ ଶ୍ରୀ ଜ୍ଞାନ ରଞ୍ଜନ ସାହୁ କାର୍ଯ୍ୟକ୍ରମକୁ କିପରି ସୁରୁଖୁରୁରେ ସମ୍ପାଦନ କରି ହେବ ସେ ବିଷୟରେ ଆଲୋକପାତ କରିଥିଲେ ।