ପୁରା ଖବର ବିଷୟରେ



ପରିସଂଖ୍ୟାନ ଗୃହ ବ୍ୟବହାର ଅନୁପଯୋଗୀ ଅବସ୍ଥାରେ

Apr 8 2022 5:59AM
(ବ୍ୟୁରୋ ହେଡ ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ)  ନବରଙ୍ଗପୁର ଜିଲାର ୧୦ଗୋଟି ବ୍ଲକରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପରିସଂଖ୍ୟାନ ଗୃହ ନିର୍ମାଣ କରାଯାଇଛି। କିନ୍ତୁ ବରଙ୍ଗପୁର ବ୍ଲକ ପରିସରରେ ୨୦୧୫ ଜୁନ ୧୨ ତାରିଖରେ ତତ୍କାଳୀନ ଏମ୍‌ପି ବଳଭଦ୍ର ମାଝିଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଥିଲା। ଉଦ୍‌ଘାଟନ ପରଠାରୁ ଉକ୍ତ କୋଠା ଆଉ ଖୋଲାଯାଉ ନାହିଁ। ଏହା ଦ୍ୱାରା ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କୋଠା ବ୍ୟବହାର ଅନୁପଯୋଗୀ ହୋଇପଡିଛି। କୋଠାର ଚାରିପାଖେ ଅପରିସ୍କାର ହୋଇରପଡି ରହିଛି । ଗ୍ରୀଲ୍‌ରେ କଳଙ୍କି ଲାଗିବା ସହ ଝରକା କବାଟଗୁଡିକ ଉଇ ଖାଇବାରେ ଲାଗିଗଲାଣି। ସଦର ବ୍ଲକ ନବରଙ୍ଗପୁରରେ ଏହି ଭଳି ଅବସ୍ଥା ରହିଛି ତାହାହେଲେ ଅନ୍ୟ ସମସ୍ତ ବ୍ଲକରେ କେଉଁଭଳି ଅବସ୍ଥା ଥିବ ତାହା ସାଧାରଣରେ ଅନୁମେୟ। ଏଠାରେ ବୁଝିବାକୁ ହେବ ଯେ ସରକାରୀ ଅର୍ଥରେ କୋଠା ନିର୍ମାଣ କରାଯାଇ ତାହାକୁ ବ୍ୟବହାରରେ ନ ଲଗାଇବା ପଛରେ ଉଦ୍ଦେଶ୍ୟ କଣ ହୋଇପାରେ । ସରକାରଙ୍କ ଅର୍ଥ ଅଯଥା ଖର୍ଚ୍ଚ ହୋଇ ଅପଚୟ ହେଉଛି। ଏନେଇ ଜିଲା ପରିସଂଖ୍ୟାନ ଅଧିକାରୀ ଭରତ ଚନ୍ଦ୍ର ଶୁଣ୍ଢିଙ୍କୁ ପଚାରିବାରୁ ସେ କହିଛନ୍ତି, ୨୨ଜଣ କର୍ମଚାରୀଙ୍କ ପରିବର୍ତ୍ତେ ଏବେ ୭ ଜଣ କର୍ମଚାରୀ ଅଛନ୍ତି। ଜିଲାସ୍ତରରେ ଅଧିକାରୀ ମୁଖ୍ୟ କିରାଣି ରହିଛନ୍ତି। ବରିଷ୍ଠ ଓ କନିଷ୍ଠ କିରାଣି ପଦବୀ ଖାଲିପଡିଛି। କ୍ୱାର୍ଟର ସମେତ କାର୍ଯ୍ୟାଳୟ ଢାଞ୍ଚାରେ କୋଠା ନିର୍ମାଣ ପାଇଁ ବ୍ୟବସ୍ଥା ରହିଥିଲା। କାର୍ଯ୍ୟାଳୟ ଢାଞ୍ଚାରେ ନିର୍ମାଣ ହୋଇଛି। ଅନ୍ୟପକ୍ଷେ କର୍ମଚାରୀ ଅଭାବରୁ କାର୍ଯ୍ୟାଳୟ ଖୋଲାଯାଇପାରୁ ନାହିଁ ବୋଲି ସେ କହିଛନ୍ତି। ଏନେଇ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କଲେ ଉକ୍ତ କୋଠା ବ୍ଲକର ଯେକୌଣସି ବିଭାଗ ମଧ୍ୟ କାର୍ଯ୍ୟରେ ଲଗାଇ ପାରିବେ ଓ କୋଠାଟି ସୁରକ୍ଷିତ ହୋଇରହିବ। ନଚେତ କୋଠାଟି ନଷ୍ଟ ହୋଇଯିବ ବୋଲି ସାଧାଳଣରେ କୁହାଯାଉଛି।