ପୁରା ଖବର ବିଷୟରେ



ବୋମା ଫୁଟି ୩ ନାବାଳିକା ଗୁରୁତର

Mar 29 2022 5:17PM
ଭଦ୍ରକ ଜିଲ୍ଲାର ବନ୍ତ ଥାନା ଅଧୀନସ୍ଥ ଟିଲୋ ତ୍ରିକୋଣା ଦେବତାଗଢିଆ ଛକସ୍ଥିତ ଇଟା ଫ୍ୟାକ୍ଟ୍ରି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ସୋମବାର ଅପରାହ୍ନରେ ବୋମା ଫୁଟି ୩ ନାବାଳିକା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ୩ ନାବାଳିକାଙ୍କ ମଧ୍ୟରେ ଦୁଇଭଉଣୀ ଅଛନ୍ତି। ସେମାନେ ହେଲେ ଦେବତାଗଢ଼ିଆ ଗ୍ରାମର ଦୁଇ ଭଉଣୀ ଦୁର୍ଗା ହାଁସଦା(୧୨), ବାସନ୍ତୀ ହାଁସଦା(୮) ଓ ସବିତା ମୁର୍ମୁ(୯)। ନିର୍ବାଚନ ସମୟରେ ହିଂସାକାଣ୍ଡ ଭିଆଇବା ଉଦ୍ଦେଶ୍ୟରେ କେହି ଏହି ବୋମା ବ୍ୟାଗ୍‌ରେ ରଖିଥିବା ସାଧାରଣରେ ଆଲୋଚନା ହେଉଛି। ସୂଚନା ଥାଉକି ୩ ନାବାଳିକା ତ୍ରିକୋଣା ଇଟାଭାଟି ନିକଟକୁ ଖେଳିବାକୁ ଯାଇଥିବା ବେଳେ ବୁଦାମୂଳରେ ଏକ ବ୍ୟାଗ୍‌ ପଡିଥିବା ଦେଖିବାକୁ ପାଇଥିଲେ। ପିଲାମାନେ ଉତ୍କଣ୍ଠା ର ସହ ବ୍ୟାଗ୍‌ ଖୋଲିବାରୁ ସେଥିରେ ଥିବା ୩ଟି ବୋମା ମଧ୍ୟରୁ ଗୋଟିଏ ବୋମା ଫୁଟିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ପିଲାମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଘଟଣାସ୍ଥଳରୁ ଆଉ ୨ ଅଫୁଟା ବୋମାକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।