ପୁରା ଖବର ବିଷୟରେ



ଭଦ୍ରକ ଜିଲ୍ଲା ଧାମନଗର ତହସିଲରେ ଆର୍ଥିକ ଅନିୟମିତତାକୁ ନେଇ ପ୍ରଶାସନିକ ତଦନ୍ତ ଆରମ୍ଭ

Mar 16 2022 1:58PM
(ଧାମନଗର ରୁ ରଞ୍ଜନ କୁମାର ମଲ୍ଲିକଙ୍କ ରିପୋର୍ଟ) ଭଦ୍ରକ/ ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ତହସିଲରେ ଆର୍ଥିକ ଅନିୟମିତତାକୁ ନେଇ ପ୍ରଶାସନିକ ତଦନ୍ତ ଆରମ୍ଭ । ମଙ୍ଗଳବାର ପୂର୍ବାହ୍ନରେ ଧାମନଗର ତହସିଲ କାର୍ଯ୍ୟାଳୟରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ତ୍ରିଲୋଚନ ମାଝି ଅଚାନକ ପହଞ୍ଚି ତଦନ୍ତ ଆରମ୍ଭ କରି ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରି ଫେରିଛନ୍ତି। ସୂଚନା ଅନୁଯାୟୀ ଧାମନଗର ତହସିଲରେ ଚଳିତ ବର୍ଷ ଚାଲିଥିବା ଇଣ୍ଟରନାଲ ଅଡିଟ ବିବରଣୀରେ ଦର୍ଶାଯାଇଛି ଯେ ଉକ୍ତ ତହସିଲ ନାମରେ ୨୩ଟି ଜମାଖାତା ରହିଛି । ସେଥିମଧ୍ୟରୁ ୨୩ଟିରୁ ୫ଟି ଜମାଖାତା ତହସିଲ କ୍ୟାସବୁକରେ ଉଲ୍ଲେଖ ଥିବା ବେଳେ ଅନ୍ୟ ୧୮ଟି ବ୍ୟାଙ୍କ ଆକାଉଣ୍ଟର କୌଣସି କ୍ୟାସବୁକରେ ଉଲ୍ଲେଖ ଜରାଯାଇନାହିଁ। ଅଡିଟ ରିପୋର୍ଟରେ କୁହାଯାଇଛି ଏହି ୧୮ଟି ବ୍ୟାଙ୍କ ଆକାଉଣ୍ଟରେ ଅଦ୍ୟାବଧି ୨କୋଟି ୬୭ ଲକ୍ଷ ୮୫ ହଜାର ୭୮୦ ଟଙ୍କା ରହିଛି। ଏହି ବିଷୟରେ ଧାମନଗର ତହସିଲଦାର କ୍ଷୀରୋଦ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ ମୁଁ ଏହି ବିଷୟରେ ବର୍ତ୍ତମାନ କିଛି କହିପାରିବି ନାହିଁ । ମୋ ସମୟରେ କୌଣସି ନୂଆ ଆକାଉଣ୍ଟ ଖୋଲାଯାଇ ନାହିଁ। ରିପୋର୍ଟରେ ଦର୍ଶାଯାଇଛି ୨୦୧୧ରୁ ୨୦୨୦ ମଧ୍ୟରେ ଥିବା ୭ଜଣ ତହସିଲଦାରଙ୍କ ସମୟରେ ଆକାଉଣ୍ଟ ଖୋଲାଯାଇଛି। ସେଥିରୁ ୧୭ଟି ଜମାଖାତା ଖୋଲାଯାଇଥିବା ବେଳେ ଅନ୍ୟ ଗୋଟିଏ ୨୦୦୩ରେ ଖୋଲାଯାଇଥିଲା । ଏତଦ୍‌ବ୍ୟତୀତ ଅନ୍ୟ ଯେଉଁ ୫ଟି ଜମାଖାତା ତହସିଲ କ୍ୟାସବୁକରେ ଲେଖା ହେଇଛି। ସେଗୁଡିକ ମଧ୍ୟ ଅନେକ ପୁରୁଣା ଜମାଖାତା ବୋଲି ସେ ପ୍ରତି ଉତ୍ତର ରଖିଥିଲେ। ଏନେଇ ଆର୍‌ଡିସି ଗଣମାଧ୍ୟମକୁ ସୂଚନା ଦେଇ ଘଟଣାର ତଦନ୍ତ କରାଯାଉଥିବା ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହଛନ୍ତି।