ପୁରା ଖବର ବିଷୟରେ



ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: ବ୍ଲାକ୍‌ମେଲିଂ କରି ବନ୍ଧା ହେଲେ ସ୍କୁଲ ଅଧ୍ୟକ୍ଷ

Mar 12 2022 7:35AM
କୋରାପୁଟ/ଭବାନୀପାଟଣା: ଗୁରୁଶିଷ୍ୟ ପରମ୍ପରାକୁ ତଳି ତଳାନ୍ତ କରି ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶିକ୍ଷକ । ବିଭିନ୍ନ ସମୟରେ ଅସଦ୍‌ ଆଚରଣ ପ୍ରଦର୍ଶନ ସାଙ୍ଗକୁ ସୋସିଆଲ୍‌ ନେଟ୍‌ୱର୍କିଂ ସାଇଟ୍‌ରେ ଅଶ୍ଳୀଳ ଭିଡିଓ ମାନ ପଠାଉଥିଲେ । କଥା ପ୍ରଘଟ ହେବା ପରେ ସିଧା କାର୍ଯ୍ୟାନୁଷ୍ଠାନ ର ଶିକାର ହୋଇଛନ୍ତି । ଏବେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ଛାତ୍ରୀଙ୍କୁ ତାଙ୍କ ଶିକ୍ଷକଙ୍କ ଯୌନ ନିର୍ଯାତନା ଦେବା ଭଳି ଲଜ୍ଜାଜନକ ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସର ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରାଜୀବ ଦତ୍ତ ସେହି ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅଶ୍ଳୀଳ ମେସେଜ୍‌ ପଠାଉଥିଲେ । ଛାତ୍ରୀ ଜଣକ ଭୟରେ ଘରେ ନକହି ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ କୈଣସି ସୁତ୍ରରୁ ଖବର ପାଇ ଗୁରୁବାର ଅଧ୍ୟକ୍ଷ ଶ୍ରୀ ଦତ୍ତାଙ୍କ ବିରୋଧରେ ଭବାନୀପାଟଣା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ ଥାନାକୁ ଆଣି ଜେରା କରିଥିଲା । ତାଙ୍କ ବିରୋଧରେ ଅଧିକ ପ୍ରମାଣ ପାଇବାରୁ ପୁଲିସ ତାଙ୍କୁ ଗିରଫ କରିଛି ।