ପୁରା ଖବର ବିଷୟରେ



ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଉପରେ ବିଜୟୀ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ

Mar 3 2022 4:04PM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତରେ ରାଜନୈତିକ ହିଂସା ଘଟିଛି। ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଉପରେ ବିଜୟୀ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଘଟିଛି ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତର ବଣସାହି ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ପରାଜିତ ସରପଞ୍ଚ ପ୍ରାର୍ଥୀ ପଙ୍କଜିନୀ ମହାପାତ୍ରଙ୍କ ସମର୍ଥକମାନେ ନିର୍ବାଚନର ପରାଜୟ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକ ସାରି ସେମାନେ ପ୍ରାୟ ୧୧ଟାବେଳେ ବାହାରି ନିଜ ନିଜ ଘରକୁ ଫେରୁଥିବା ବେଳେ ବଣସାହିରେ ବିଜୟୀ ସରପଞ୍ଚ ପ୍ରାର୍ଥୀ ସସ୍ମିତା ଧଳ ଏବଂ ତାଙ୍କ ସ୍ବାମୀ ତଥା ପୂର୍ବତନ ସରପଞ୍ଚ ଶିଶିର ଧଳଙ୍କ ସମର୍ଥକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଜଣାଯାଇଛି। ଏଥିରେ ଉଭୟ ପକ୍ଷର ୧୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ତେବେ ପୁଲିସ୍ ଖବର ପାଇ ଘଟଣାସ୍ଥଳରୁ ଉଭୟ ଗୋଷ୍ଠୀର ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏଣେ ଏହି ଆକ୍ରମଣର ପ୍ରତିବାଦ କରି ପରାଜିତ ସରପଞ୍ଚ ପ୍ରାର୍ଥୀ ପଙ୍କଜିନୀ ମହାପାତ୍ରଙ୍କ ସମର୍ଥକମାନେ ମଙ୍ଗଳପୁର ଥାନା ଆଗରେ ଧାରଣାରେ ବସିଛନ୍ତି। ପୂର୍ବତନ ସରପଞ୍ଚ ତଥା  ବିଜୟୀ ସରପଞ୍ଚଙ୍କ ସ୍ୱାମୀ ଶିଶିର ଧଳ ପରାଜିତ ସରପଞ୍ଚ ପଙ୍କଜିନୀ ମହାପାତ୍ରଙ୍କ ସମର୍ଥକ ଶମ୍ଭୁନାଇ ମଲିକଙ୍କ ଘରେ ପଶି ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ହିଂସାକାଣ୍ଡରେ ପରାଜିତ ସରପଞ୍ଚଙ୍କ ସ୍ୱାମୀ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେଥିରୁ ଜଣେ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ଏନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଘଟଣାରେ ପୁଲିସ ତଦନ୍ତ ଆରମ୍ଭ ହୋଇଛି।