ପୁରା ଖବର ବିଷୟରେ



ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌

Jan 30 2022 6:22AM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା : ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ଆୟ ବର୍ହିଃଭୂତ ସଂପତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ହୋଇଛି ଆଜି ଏକାକାଳୀନ ଚଢାଉ । ଶିକ୍ଷକ ଜଣକ ହେଲେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ କମ୍ପର ଗ୍ରାମର ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ଶିଶିର କୁମାର ସେମେଲି । ଅଭିଯୋଗ ପ୍ରକାରେ ଜୟପୁର ସ୍ଥିତ କୋରାପୁଟ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ଜର୍ଜଙ୍କ ନିର୍ଦ୍ଦେଶ କ୍ରମେ ଆଜି ଶିକ୍ଷକ ଶିଶିରଙ୍କ ଦୋରାଗୁଡା ଗ୍ରାମର ନୂଆପଡା ସାହି ସ୍ଥିତ ୫ଟି କୋଠାଘରେ ଭିଜିଲାନ୍ସର ୬ଟି ଟିମ୍ ପକ୍ଷରୁ ଏକାକାଳୀନ ଚଢାଉ କରାଯାଇଛି । ଚଢାଉ ବେଳେ ନଗଦ ୨ଲକ୍ଷ ୮୮ହଜାର ଟଙ୍କା,୨ଟି ତିନି ମହଲା ଏବଂ ତିନୋଟି ଦୁଇ ମହଲା ଘର ସହ ୨୧ଲକ୍ଷ ୬୮ହଜାର ଟଙ୍କାର ବ୍ୟାଙ୍କ୍ ବ୍ୟାଲେନ୍ସ, ଦୁଇଟି ଚାରି ଚକିଆ ଗାଡ଼ି ଇନୋଭା ଏବଂ ବୋଲେରୋ , ସୁନା ଅଳଙ୍କାର ପାଖାପାଖି ୪୦୮ଗ୍ରାମ ଏବଂ ରୂପା ୨୨୯ ଗ୍ରାମର ଜବତ କରାଯାଇଛି । ବର୍ତମାନ ମଧ୍ୟ ଚଢାଉ ଜାରି ରହିଥିବାରୁ ସମୁଦାୟ ଆକଳନ ପରେ ଜଣାପଡିବ ବୋଲି ଭିଜିଲାନ୍ସ ଟିମ୍ ପକ୍ଷରୁ ସୂଚନା ମିଳିଥିବା ବେଳେ ୪କୋଟିରୁ ଉର୍ଦ୍ଧ ଟଙ୍କାର ସଂପତି ରହିଥିବା ଆକଳନ କରାଯାଇଛି । ଏହି ଚଢାଉରେ ଓଡିଶା ଭିଜିଲାନ୍ସର ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଅନନ୍ତ ପ୍ରସାଦ ମଲ୍ଳିକ,ସୁରେନ୍ଦ୍ର ରାଇଗୁରୁ,ରୁପାଧର ନାୟକଙ୍କ ସମେତ ଇନସପେକ୍ଟର କଳାବତୀ ବାଗ ,ପ୍ରମିଳା ସୁନା,ସୁର୍ଯ୍ୟକାନ୍ତି ଟାକ୍ରି,ଭୀମସେନ ପୂଜାରି,ବାନକିମ୍ ବାୱାଲି ଓ ଅନ୍ୟ ଷ୍ଟାଫମାନେ ଉପସ୍ଥିତ ରହିଥିଲେ ।