ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Jan 26 2022 6:58PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ :- ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ରାୟଗଡ ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ବିଭାଗ, ଓଡିଶା, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୮.୩୦ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗ ସଙ୍ଗେ ପ୍ୟାରେଡ ଅବିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କ ଉଦେଶ୍ୟରେ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟର ଉଦ୍‍ବୋଧନ ଦେଇଥିଲେ । ରାୟଗଡ ଜିଲ୍ଲାର ଗୁଣୁପୁର ଉପଖଠର ସୌରା ମାନଙ୍କ ସମେତ ଜନଜାତି ବର୍ଗର ସ୍ୱାଧୀନତା ସଂଗ୍ରାମୀ ମାନେ ଯେପରି ଭାବେ ଭୂଦାନ ଆନ୍ଦୋଳନ, ବେଠିପ୍ରଥା ଆଦି ବିରୁଧରେ ସ୍ୱରଉତ୍ତୋଳନ କରି ସ୍ୱାଧୀନତା ଆଣିବାରେ ନିଜର ବଳିଦାନ ଦେଇଛନ୍ତିତାହା ଇତିହାସରେ ଲିପିବଦ୍ଧ ହୋଇ ରହିଅଛି । ରାୟଗଡ କିପରି ଏକ ଉନ୍ନତ ଜିଲ୍ଲାରେ ପ୍ରତିଷ୍ଠିତ ହୋଇପାରିବ, ଆମର ସମ୍ୱିଧାନକୁ କିପରି ସୁରକ୍ଷା ଦେଇପାରିବ ସେଥିପାଇଁ ଆମର ଯୁବ ବର୍ଗଙ୍କୁ ପ୍ରେରଣା ଦେବା ଏବଂ ତାଙ୍କୁ ମାର୍ଗ ଦର୍ଶନ କରିବା ପାଇଁ ମୁ ନିବେଦନ କରୁଛି ଏବଂ ଆମର ରାଷ୍ଟ୍ର ଗୋଟିଏ ସର୍ବଧର୍ମ ସମାନ ରାଷ୍ଟ୍ର, ଗଣତନ୍ତ୍ରରେ ସମ୍ୱିଧାନ ସର୍ବପରି ଏହି ମୁଳମନ୍ତ୍ରକୁ ଆମେ ସମସ୍ତେ ଗ୍ରହଣ କରି ଆଜିର ଦିବସରେ ସଂକଳ୍ପ ନେବା ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଅଭିଭାଷଣ ରଖିଥିଲେ । ଏହି ଉତ୍ସବ ଅବସରରେ ରାୟଗଡ ଜିଲ୍ଲାର ୭ ଜଣ ସ୍ୱାସ୍ଥ୍ୟକର୍ମୀ ବିଦ୍ୟାବତି ନାଗ, ସନ୍ତଷୀନି ସ୍ୱାଇଁ, ସଶ୍ମିତା ସେନାପତି, ଶାନ୍ତି କୁମାରୀ ଅଟକା, ଶାନ୍ତିଲତା ପ୍ରଧାନ,କ୍ଷିବାବ୍ଧି ତନୟା ଦାଶ, ଅନୁପମା ନାଗ, ଆଇ.ସି.ଡି.ଏସ୍‍ ବିଭାଗର ୭ଜଣ ଅଙ୍ଗନୱାଡି କର୍ମୀ ସୁବାଷିନି ନାୟକ, ଶୈଳେନ୍ଦ୍ରୀ ଶବର, ଟୁନି ସେଠୀର, ସ୍ନେହଲତା ମହାପାତ୍ର, ଲକ୍ଷ୍ମୀ ପାତ୍ର, ହେମଲାତ ମୁଟୁକା, ସୁନିତା ଶବର ଏବଂ ରାୟଗଡ ପୌର ପରିଷଦର ସୁନ୍ଦର ରାଓ ମିଣିଆକା, କାଶି ବୈଦ, ଶେଖ ଇମ୍ରାନ, ଏମ୍‍. ରାମବାବୁ, ମଣି ଶଗଡିଆ ୫ଜଣ କର୍ମୀଙ୍କୁ କୋଭିଡ ଯୋଦ୍ଧା ଭାବେ ମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ । ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ କୃତି ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହୋଇଥିବା ୧୨ଜଣ କୃତି ପ୍ରତିଯୋଗିଙ୍କ ନାମ ପଠନ କରାଯାଇଥିବା ବେଳେ କୋଭିଡ କଟକଣା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପୁରଷ୍କାର ଗୁଡିକୁ ସଂମ୍ପୃକ୍ତ ବିଦ୍ୟାଳୟକୁ ପଠାଇ ଦିଆଯାଇଛି । ପ୍ରାତଃ ୫ ଘଟିକା ସମୟରେ ରାୟଗଡ ସହରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପ୍ରଚାର କରାଯାଇଥିଲା । ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କୋଭିଡ-୧୯ ନିୟମ ଅବଲମ୍ୱନ କରି ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ସହରର ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ମାଲ୍ୟର୍ପଣ କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଦଶ ତଥା ରାଜ୍ୟ ମହାମାରି କୋରନା ସହିତ ଲଢେଇ କରୁଥିବା ହେତୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ-୧୯ ନିୟମ ଅନୁଯାୟୀ ଜି.ସି.ଡି. ପଡିଆ ଠାରେ ଉକ୍ତ ଉତ୍ସବ ପାଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଓ ଶ୍ରୀ ଧର୍ମାନନ୍ଦ ବେହେରା, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସହରରେ ଜିଲ୍ଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦବସ୍ଥ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।