ପୁରା ଖବର ବିଷୟରେ



ପରଲୋକରେ ପଦ୍ମଶ୍ରୀ ଭୁଷିତା ଶାନ୍ତି ଦେବୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ।

Jan 19 2022 9:31AM
(ରିପୋର୍ଟ :ପ୍ରସାଦ ଲିମା) ବିଶିଷ୍ଟ ଗାନ୍ଧିବାଦୀ, ସମାଜ ସେବୀ, ସର୍ଵଦୟୀ,ଭୂଦାନ ଆନ୍ଦୋଳନର ପ୍ରମୁଖ ନେତ୍ରୀ, ପଦ୍ମଶ୍ରୀ ଭୁଷିତା ଶାନ୍ତି ଦେବୀଙ୍କ ଗତ ରବିବାର ବିଳମ୍ବିତ ରାତିରେ ୮୮ ବର୍ଷ ବୟସରେ ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା ହେବାରୁ ସେ ଅଚେତ ହୋଇପଡିଥିଲେ । ଏହାପରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡ଼. ରମେଶ ଚନ୍ଦ୍ର ସାହୁ ଗୁଣୁପୁର ସ୍ଥିତ ସେବା ସମାଜରେ ପହଞ୍ଚି ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଘୋଷଣା ପରେ ଅଞ୍ଚଳରେ ଓ ଜିଲ୍ଲା ତଥା ରାଜ୍ୟରେ ଦୁଃଖର ଛାୟା ଖେଳିଯାଇଛି । ସେ ୧୯୩୪ ଏପ୍ରିଲ ୧୮ ତାରିଖରେ ବାଲେଶ୍ଵର ଜିଲ୍ଲାର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ମାତ୍ର ୧୭ ବର୍ଷ ବୟସରେ ଅର୍ଥାତ ୧୯୫୧ ମସିହାରେ ଉକ୍ତ ଜିଲ୍ଲା ଅନ୍ତର୍ଗତ ସୁନହଟର ଜମିଦାର ପରିବାରରେ ସମାଜସେବୀ ଡ଼ା. ରତନ ଦାସଙ୍କ ସହ ବିବାହ କରିଥିଲେ । ସମସ୍ତ ବିଳାସ ବ୍ୟସନ ଓ ଅଭିଜାତ୍ୟ ମୋହ ତ୍ୟାଗକରି ସ୍ୱାମୀଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁଣୁପୁର ମାଟିରେ ପାଦ ଦେଇଥିଲେ ।ଏହାପରେ ଏକ ନୌକାରେ ବଂଶଧାରା ନଦୀ ପାରିହୋଇ ଥେରୁବାଲି ନିକଟସ୍ଥ ଡୁମୁରିଗୁଡାରେ ମାଳତୀ ବିଶ୍ୱାଳ ଓ କେତକୀ ଅପାଙ୍କ ଆଶ୍ରମରେ ରହି କିଛିଦିନ ସମାଜସେବା ଓ ଭୂଦାନ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସେ ୧୯୫୨ ମସିହାରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ କୁଜେନ୍ଦ୍ରୀ ଅଞ୍ଚଳରେ ଆଦିବାସୀଙ୍କ ଜମି ହଡ଼ପକାରୀ ଜମିଦାରଙ୍କ ବିରୋଧରେ ସତ୍ୟାଗ୍ରହର ପ୍ରମୁଖ ନେତ୍ରୀ ଥିଲେ ।ରାୟଗଡ଼ା ଜିଲ୍ଲା ସମେତ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସମ୍ବଲପୁର ତଥା ଅନେକ ଜିଲ୍ଲାର ଦରିଦ୍ର, ନିଷ୍ପେସିତ ଓ ଖଟିଖିଆ,ମେହନତି ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅହରହ ଉଦ୍ୟମ ପାଲଟି ଥିଲେ ଶାନ୍ତି ଦେବୀ ଓ ସ୍ବାମୀ ରତନ ଦାଶ । ଦଳିତ ସମାଜ ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜରେ ମଣିଷ ଭଳି ଜୀବନଯାପନ କରିବେ ତାହାଥିଲା ତାଙ୍କର ଏକ ମାତ୍ର ସ୍ୱପ୍ନ । ସେ ଶିକ୍ଷାକୁ ଅସ୍ତ୍ର କରି ଦୁର୍ଗମ ଅଞ୍ଚଳର ଗରିବ ପିଲାମାନଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରିଥିଲେ । ତାଙ୍କର ଅତୁଳନୀୟ ସେବା ପାଇଁ ୧୯୫୫ ମସିହାରେ ଓଡ଼ିଶା ସଂସ୍କୃତିକ ସମାଜ ପକ୍ଷରୁ ସାରଳା ସମ୍ମାନ,୧୯୯୧ ମସିହାରେ ଜାତୀୟ ଶିଶୁ ମଙ୍ଗଳ ସମ୍ମାନ,୧୯୯୪ ମସିହାରେ ଜମନାଲାଲ ବଜାଜ ଓ ନଳିନୀ ସ୍ମାରକୀ ସେବା ସମ୍ମାନ, ଏମିତିକି ଅନେକ ସମାନର ଭୁଷିତା ହୋଇ ମଧ୍ୟ ସାଧାରଣ ଜୀବନ ଯାପନ କରୁଥିଲେ । ତାଙ୍କର ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଏବଂ ଦଳିତ ଓ ପଛୁଆବର୍ଗଙ୍କ ସେବା ଓ ମାଓ ଅଧୁଷିତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ୨୦୨୧ ମସିହା ନଭେମ୍ବର ମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ କରିଥିଲେ । ପଦ୍ମଶ୍ରୀ ସମ୍ମାନ ଭୁଷିତା ସ୍ୱର୍ଗୀୟ ଶାନ୍ତିଦେବୀ ଆଉ ଆମ ଗହଣରେ ନାହାଁନ୍ତି, ସମାଜ ପାଇଁ ଅପୁରଣୀୟ କ୍ଷତି, ତାଙ୍କ ମରଶରୀରକୁ ଗୁଣୁପୁର ସ୍ଥିତ ସେବା ସମାଜ ଆଶ୍ରମରେ ଶେଷ ଦର୍ଶନ ପାଇଁ ସ୍ଥାନୀୟ ଓ ଅଞ୍ଚଳର ଜନସାଧାରଣ, ଜିଲ୍ଲାର ବୁଦ୍ଧିଜୀବିଙ୍କ ପ୍ରବଳ ଭିଡ଼ ଦେଖାଦେଇଥିଲା । ଉକ୍ତ ସ୍ଥଳରେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ସମେତ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ରହି ଶାନ୍ତିଦେବୀଙ୍କୁ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆମର ଆତ୍ମାର ସଦଗତି କାମନା କରିଥିଲେ ।ଶେଷରେ ପୋଲିସ ପକ୍ଷରୁ ଗାର୍ଡ ଅଫ ପ୍ରଦାନ କରାଯାଇଥିଲା ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବିଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ଥାନୀୟ ବଂଶଧାରା ନଦୀ ତଟ ନିକଟସ୍ଥ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା