ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ

Jan 13 2022 9:18AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ରାଜ୍ୟ ନିର୍ବାଚନ କମିଶନ ଙ୍କ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ନିର୍ବାଚନ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଲା ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସହିତ ନିର୍ବାଚନ ର ସମସ୍ତ ପ୍ରକ୍ରିୟା ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଧାରିତ କୋଭିଡ କଟକଣା ମଧ୍ୟରେ ପାଳନ ହେବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର । ସମସ୍ତ ପ୍ରକ୍ରିୟାରେ କୋଭିଡ କଟକଣା କୁ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । କଟକଣା କୁ ଉଲ୍ଲଘଂନ କରୁଥିବା ଦଳ କିମ୍ବା ବ୍ୟକ୍ତି ବିଶେଷ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ୨୬ ଟି ଜିଲ୍ଲା ପରିଷଦ, ୧୮୯ ଟି ସରପଞ୍ଚ, ସମିତିସଭ୍ୟ ଏବଂ ୨୨୨୭ ଟି ୱାର୍ଡ ମେମ୍ବର ପାଇଁ ନିର୍ବାଚନ ହେବ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୬ ତାରିଖ ରେ ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକ , ଫେବୃୟାରୀ ୧୮ ତାରିଖ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ , ଫେବୃୟାରୀ ୨୦ ରେ ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକ, ଫେବୃୟାରୀ ୨୨ରେ ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକ , ଫେବ୍ରୁଆରୀ ୨୪ ରେ ରାଇଘର ଓ ଉମରକୋଟ ବ୍ଲକ ରେ ନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲାର ୭ ଲକ୍ଷ ୮୮ହଜାର ୨ଶହ୫୪ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିନିମନ୍ତେ ଆଗାମୀ ୧୭ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୨୧ ଜାନୁୟାରୀ ରେ ଶେଷ ହେବ । ୨୨ ଜାନୁୟାରୀ ରେ ଯାଞ୍ଚ ଓ ୨୩ ଜାନୁୟାରୀରେ ଯୋଗ୍ୟ ପ୍ରାର୍ଥୀ ଙ୍କ ତାଲିକା ପ୍ରକାଶ କରାଯିବ । ୨୫ ଜାନୁୟାରୀ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିବା ସହିତ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।