ପୁରା ଖବର ବିଷୟରେ



ଡାବୁଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟିକା ଚନ୍ଦନା ମଣ୍ଡଳ ଚାକିରିରୁ ବହିଷ୍କୃତ ।

Oct 23 2021 10:10PM
(ନବରଙ୍ଗପୁର ରୁ ଜିଲ୍ଲା ପ୍ରତିନିଧି ଗୁରୁପ୍ରସାଦ ପଣ୍ଡା ଙ୍କ ସହ ସ୍ୱତନ୍ତ୍ର ପ୍ରତିନିଧି ବର୍ତ୍ତ ହରିଜନକଂ ରିପୋର୍ଟ) ଡାବୁଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟିକା ଚନ୍ଦନା ମଣ୍ଡଳ ଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ରଙ୍କ ଆଦେଶ ସଂଖ୍ୟା ୧୧୪୫୨ ତା ୧୯.୧୦.୨୧ ପ୍ରକାରେ ଚାକିରିରୁ ବହିଷ୍କୃତ କରିଛନ୍ତି। ପ୍ରକାଶ ଥାଉକି, ଚନ୍ଦନା ମଣ୍ଡଳ ଡାବୁଗାଁ ତହସିଲ କାର୍ଯ୍ୟାଳୟରେ ରେ ପ୍ରଥମେ ୨୦୦୭ ମସିହା ଠାରୁ ୨୦୦୯ ପର୍ଯ୍ୟନ୍ତ, ୨୦୧୧ ଠାରୁ ୨୦୧୬ ଏବଂ ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବାସମୟରେ,ଡାବୁଗାଁ ତହସିଲ କାର୍ଯ୍ୟାଳୟ ରେ ନୂତନ ଭାବରେ ଯୋଗ ଦେଇଥିବା ତହସିଲଦାର ସନ୍ଧ୍ୟା ସମରଥ କେଶ ବହିରେ ଅନିମିୟତା ସମ୍ପର୍କରେ ଜାଣି ଜିଲ୍ଲାପାଳଙ୍କ ନଜରକୁ ନେଇଥିଲେ। ଜିଲ୍ଲାପାଳ ଡଃ ମିଶ୍ର ତୁରନ୍ତ ତତ୍କାଳୀନ ଉପଜିଲ୍ଲାପାଳ ଭାସ୍କର ରଇତ ଙ୍କୁ ତଦନ୍ତ ନିମନ୍ତେ ପ୍ରେରଣ କରିଥିଲେ। ତଦନ୍ତ ବେଳେ ୬୩,୦୦,୦୦୦ ଟଙ୍କା ଶ୍ରୀମତୀ ମଣ୍ଡଳ ଆତ୍ମସାତ କରିଥିବା ନଜର କୁ ଆସିଥିଲା। ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୫୭୭୦ ତା ୨୮.୦୫.୨୦୨୧ ପ୍ରକାରେ ଚନ୍ଦନା ମଣ୍ଡଳ ଙ୍କୁ ନିଲମ୍ବିତ କରାଯାଇଥିଲା । ଚନ୍ଦନା ମଣ୍ଡଳ ଫେରାର ଥିବାରୁ ନିଲମ୍ବିନ ଆଦେଶ ପତ୍ର କୁ ତାଙ୍କ ଘର କାନ୍ଥରେ ଲଗାଯାଇ ଥିଲା । ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଡାବୁଗାଁ ପୋଲିସ ଥାନାରେ ଚନ୍ଦନା ମଣ୍ଡଳଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ଶ୍ରୀମତୀ ମଣ୍ଡଳ ଙ୍କୁ ଥାନାକୁ ଡାକି ପଚରା ଉଚୁରା ସମୟରେ ସେ ଅସୁସ୍ଥ ହେବାର ବାହାନା କରି ବିଶାଖାପଟନାମ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ଦିନ ଠାରୁ ଫେରାର ଥିଲେ। ଅଧିକତଦନ୍ତ କରିବା ପାଇଁ ସଚିବ, ଓଡ଼ିଶା ରାଜସ୍ୱ ପରିଷଦ, କଟକ ଙ୍କୁ ପତ୍ର ସଂଖ୍ୟା ୮୯୪ ତା ୨.୬.୨୦୨୧ ରିଖ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଓଡିଶା ରାଜସ୍ୱ ପରିଷଦ ସ୍ୱତନ୍ତ୍ର ସମୀକ୍ଷା ରିପୋର୍ଟରୁ ଶ୍ରୀମତୀ ମଣ୍ଡଳ ଡାବୁଗାଁ ଆଦାୟ ହୋଇଥିବା ଟ.୧,୬୧,୫୯,୬୯୪/- ଙ୍କା ହେରଫେର କରିଥିବା ତଦନ୍ତ ବେଳେ ଜଣାପଡିଥିଲା। ନବରଙ୍ଗପୁର ପୋଲିସ ଏକ ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଗଠନ କରି ଛତିଶଗଡ଼ ରାଜ୍ୟ ସୁକୁମା ଠାରୁ ଅଭିଯୁକ୍ତ ଚନ୍ଦନା ମଣ୍ଡଳ ଙ୍କୁ ଗିରଫ କରି ଉମରକୋଟ କୋର୍ଟ କୁ ଚାଲାଣ କରିଥିଲେ। କୋର୍ଟରେ ବେଲ ନାମଞ୍ଜୁର ହେବାରୁ ତାଙ୍କୁ ନବରଙ୍ଗପୁର ଉପକାରଗର କୁ ପଠାଇ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସ୍ୱରୂପ ଶ୍ରୀମତୀ ମଣ୍ଡଳ ଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ।