ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲାରେ ଜାତୀୟ ପୁଷ୍ଟି ସପ୍ତାହ ପାଳନ

Sep 4 2021 2:21PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ : ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପୁଷ୍ଟି ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ରାୟଗଡା ଜିଲ୍ଲାର ସମସ୍ତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ପ୍ରତ୍ୟେକ ଦିନ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ପୁଷ୍ଟି ସପ୍ତାହ ପାଳନ କରାଯାଇଛି । ରାୟଗଡ଼ ଜିଲ୍ଲା ଅନ୍ତର୍ଗତ କୋଲନରା ପ୍ରକଳ୍ପ ଅଧିନସ୍ଥ ବାଙ୍କିଲି କେନ୍ଦ୍ର ରେ ଓ ଗୁଣୁପୁର ପ୍ରକଳ୍ପ ଅଧିନସ୍ଥ ନରସିଂମୁଣ୍ଡା କେନ୍ଦ୍ରରେ ଅନୁଷ୍ଠିତ ପୁଷ୍ଟି ସପ୍ତାହ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ସମନ୍ଵିତ ଶିଶୁ ବିକାଶ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ୟୁଏନ ଏଫ ପି ଏ ର ଜିଲ୍ଲା ପରାମର୍ଶଦାତ୍ରୀ ଶ୍ରୀମତୀ ଇତିଶ୍ରୀ ଜେନା ଓ ଆକ୍ସନଏଡ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ଗୁଣୁପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କରନା ମୁର୍ମୁ, ବାଙ୍କିଲି ସେକ୍ଟର ପରିଦର୍ଶିକା ଶ୍ରୀମତୀ ନମିତା ପଣ୍ଡା ଓ ଗୁଣୁପୁର ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ପରିଦର୍ଶିକା, ସ୍ୱାସ୍ଥ୍ୟ କର୍ମୀ ମାନେ ଯୋଗଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବେହେରା ଖାଦ୍ୟ ଖାଇବା ଓ ଶିଶୁ ମାନଙ୍କୁ ଖାଦ୍ୟ ଖୁଆଇବା ସମୟରେ ପୁଷ୍ଟିର ପରିମାଣ ପ୍ରତି ନଜର ଦେବା ସହିତ ଗର୍ଭବତୀ ମହିଳା ମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ରହିବା ଏବଂ ଦିନବେଳା ୨ ଘଣ୍ଟା ଓ ରାତ୍ରିରେ ୮ ଘଣ୍ଟା ବିଶ୍ରାମ ନେବା ଉପରେ ଗୁରୁତ୍ଵ ଦେଇଥିଲେ । ବୟସ ଅନୁସାରେ ଶିଶୁ କୁ ପେଟ ପୁରା ଖାଦ୍ୟ ସହିତ ନିଜ ଘର ଓ ପରିବେଶ ଭିତରେ ଥିବା ଶାଗ, ପନିପରିବା ଖାଇବା ଓ ଖୁଆଇବା ପ୍ରତି ନଜର ଦେବା ପାଇଁ ଉପସ୍ଥିତ ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କୁ କହିଥିଲେ । ଅଙ୍ଗନ ୱାଡି କେନ୍ଦ୍ର ପରିସରରେ କିପରି ପୁଷ୍ଟି ବଗିଚା ତିଆରି କରି ପନିପରିବା ଅମଳ କରାଯାଇ ପାରୁଛି ତାହା ନଜର ଦେଇ ନିଜର ଘରେ ଛୋଟିଆ ପୁଷ୍ଟି ବଗିଚା ଟିଏ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପାଢୀ ନିୟମିତ ସଫା ସୁତୁରା ରହିବା, ଖାଦ୍ୟ ଖାଇବା କିମ୍ବା ଖୁଆଇବା ପୂର୍ବରୁ ଖାଦ୍ୟ ପାତ୍ର ଓ ନିଜର ହାତ କୁ ଭଲ ଭାବେ ଧୋଇବା ପ୍ରତି ନଜର ଦେବାକୁ କହିଥିଲେ । ଶିଶୁର ପ୍ରଥମ ୧୦୦୦ ଦିନ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ତେଣୁ ଶିଶୁର ଓଜନ ବଢୁଛି କି ନାହିଁ ତାହା ନିୟମିତ ଭାବେ ପ୍ରତ୍ଯେକ ମାସରେ ଅଙ୍ଗନୱାଡି କେନ୍ଦ୍ର କୁ ଆସି ଯାଞ୍ଚ କରାଇ ନେବା, ଯେହେତୁ ନିଜ ପାଖରେ ଆଶା କର୍ମୀ ଓ ଅଙ୍ଗନୱାଡି ମାନେ ରହୁଛନ୍ତି ତେଣୁ ସେମାନଙ୍କୁ ନିଜ ଶିଶୁର ଅଗ୍ରଗତି ବିଷୟରେ ବୁଝିବା ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟ କର୍ମୀ ଙ୍କ ପରାମର୍ଶ ନେବା । ନିଜ ଅଞ୍ଚଳରେ ଦାୟିତ୍ଵ ନେଇ ଗୋଟିଏ ମଧ୍ୟ ବାଲ୍ୟ ବିବାହ ଘଟଣା ଘଟିବାକୁ ଦେବା ନାହିଁ କାରଣ କମ ବୟସରେ ବିବାହ ଓ କମ ବୟସରେ ମା ହେବା ଫଳରେ ଉଭୟ ମା ଓ ଶିଶୁ ଅପପୁଷ୍ଟିର ଶିକାର ହୋଇ ପାରନ୍ତି ଏହା ଦ୍ଵାରା ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଘଟଣା ଘଟିବାର ସମ୍ଭାବନା ରହିଛି ତେଣୁ ସମସ୍ତେ ଏଥିପ୍ରତି ନଜର ଦେବାକୁ ଆହ୍ଵାନ ଦିଆଯାଇଥିଲା ।